ମୁମ୍ବାଇ,୬ ।୩: କରୋନାର ଲେଉଟାଣି ପୁଣିଥରେ ମହାରାଷ୍ଟ୍ରବାସୀଙ୍କ ଉପରେ ଦାଉ ସାଧିଲାଣି । ଫେବୃୟାରୀ ମଧ୍ୟ ଭାଗରୁ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବଢି ଚାଲିଛି । ପ୍ରତିଦିନ ସେଠାରେ ପାଖାପାଖି ୭ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଉଭୟ ପ୍ରଶାସନ ଓ ସାଧାରଣ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ମାର୍ଚ୍ଚ ୧ରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ କମ୍ ହୋଇଥିବା ବେଳେ ଏହା ଥିଲା ପ୍ରାୟ ୬,୩୯୭ । ଅନୁମାନ କରାଯାଉଥିଲା କି ଏଥର ହୁଏତ ସଂକ୍ରମିତଙ୍କ ସଂଖ୍ୟା କମ୍ ହୋଇଯିବ । ହେଲେ ୨୮ ଫେବୃୟାରୀରୁ ୧ ମାର୍ଚ୍ଚ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫୧ ହଜାର ଅତିକ୍ରମ କରିଯିବା ପୁଣିଥରେ ଚିନ୍ତା ବଢାଇ ଦେଇଛି । ତେବେ ଅମରାବତି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏଠାରେ ଲକଡାଉନ୍ ଘୋଷଣା କରାଯିବାକୁ ଯୋଜନା କରାଯାଉଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୮-୧୫ ଦିନ ମଧ୍ୟରେ ସ୍ଥିତିର ସମୀକ୍ଷା କରାଯିବ ବୋଲି କହିଛନ୍ତି ।