Categories: ବାଣିଜ୍ୟ

ଏମ୍‌ଏସ୍‌ଇଡିସିଏଲ୍‌କୁ ୫୦,୦୦୦ ଏସ୍‌ବିଡବ୍ଲ୍ୟୁପିଏସ୍‌

ଭୁବନେଶ୍ୱର, ୨୩।୧୦: ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନି ଲିମିଟେଡ (ଏମ୍‌ଏସ୍‌ଇଡିସିଏଲ୍‌) କୁ ନିକଟରେ ୫୦,୦୦୦ ଅଫ ଗ୍ରୀଡ ସୋଲାର ଫଟୋ ଭୋଲଟାଇକ ୱାଟର ପମ୍ପିଂ ସିଷ୍ଟମ (ଏସ୍‌ପିଡବ୍ଲ୍ୟୁପିଏସ) ଶକ୍ତି ପମ୍ପ ପକ୍ଷରୁ ଯୋଗାଇ ଦିଆଯାଇଛି। ବିଶେଷ କରି ପିଏମ୍‌ କୁସୁମ ଯୋଜନାର ଫେଜ ୩ ପାଇଁ ଉକ୍ତ ପରିମାଣର ପମ୍ପ କମ୍ପାନୀ ପକ୍ଷରୁ ଦିଆଯାଇଛି, ଯାହାର ମୂଲ୍ୟ ପ୍ରାୟ ୧୬୦୩ କୋଟି ହେବ ବୋଲି କୁହାଯାଇଛି। ଏପରିକି ଉକ୍ତ ଯୋଜନା ଅଧୀନରେ କୃଷକମାନେ ୯୦% ସବ୍‌ସିଡି ପାଉଛନ୍ତି। ଫଳରେ କୃଷକମାନେ ଉକ୍ତ ଯୋଜନା ଜରିଆରେ ଯଥେଷ୍ଟ ଉପକୃତ ହୋଇପାରିଛନ୍ତି। ବିଶେଷ କରି କମ୍ପୋନେଣ୍ଟ ବି ୩, ୫ ଓ ୭.୫ ଏଚପି କ୍ଷମତା ବିଶିଷ୍ଟ ଷ୍ଟାଣ୍ଡାଲୋନ ସୋଲାର ଚାଳିତ କୃଷି ପମ୍ପ ବ୍ୟବହାର ଯୋଗ୍ୟ ଅଟେ। ଏ ସମ୍ପର୍କରେ ଶକ୍ତି ପମ୍ପର ଅଧ୍ୟକ୍ଷ ଦିନେଶ ପାଟିଦାର କହିଛନ୍ତି, ଏହି ପଦକ୍ଷେପ ଲାଗି ମହାରାଷ୍ଟ୍ରର ଉତ୍ସର୍ଗୀକୃତ କୃଷକ ତଥା ଏମ୍‌ଏସ୍‌ଇଡିସିଏଲ ସରକାରୀ କର୍ମଚାରୀଙ୍କୁ ଆମେ କୃତଜ୍ଞତା ଜଣାଉଛୁ। ଏହି ପଦକ୍ଷେପ ଡିସ୍‌କମକୁ ସବସିଡି କ୍ଷତି ଭାରରୁ ମୁକ୍ତ କରିବ। ବିଶେଷ କରି ଯେଉଁ କୃଷକଙ୍କ ପାଇଁ ବିଦ୍ୟୁତ ଯୋଗାଣର ସମସ୍ୟା ରହିଛି, ସେମାନେ ଏହି ପମ୍ପ ବ୍ୟବହାର କରି ବେଶ୍‌ ଉପକୃତ ହୋଇପାରିବେ। ଏପରିକି କୃଷକଙ୍କ ପାଇଁ ଆଉ ଜଳ ସମସ୍ୟା ରହିବ ନାହିଁ, ସେମାନେ ବର୍ଷ ସାରା ଫସଲ ଅମଳ କରିପାରିବେ।

Share