କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠିି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଓଡ଼ିଶୀ ସଙ୍ଗୀତ (ଭୋକାଲ ଓ ଇନଷ୍ଟ୍ରୁମେଣ୍ଟ)କୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଶୁକ୍ରବାର ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭାରତୀୟ ସଂସ୍କୃତିରେ ଓଡ଼ିଶୀ ସଙ୍ଗୀତର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି। ଦ୍ୱିତୀୟ ଶତାବ୍ଦୀରୁ ପ୍ରଚଳିତ ଓଡ଼ିଶୀ ସଙ୍ଗୀତର ଏହି ପରମ୍ପରାକୁ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ନ ଦେବା ପରିତାପର ବିଷୟ। ୨ ହଜାର ବର୍ଷରୁ ଊର୍ଦ୍ଧ୍ୱ ଓଡ଼ିଶାର ସଙ୍ଗୀତ ଶାସ୍ତ୍ର ଉପରେ ପର୍ଯ୍ୟବସିତ। ଏହାର ନିଜର ରାଗ ରହିଛି। ଏହି ସଙ୍ଗୀତର ନିଜର ତାଳ ରହିଛି, ଯାହାକି ହିନ୍ଦୁସ୍ଥାନୀ ଏବଂ କର୍ନାଟକୀ ସଙ୍ଗୀତ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ପାଇବାର ସମସ୍ତ ଗୁଣ ଓଡ଼ିଶୀ ସଙ୍ଗୀତରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ଦେବା ଲାଗି ଓଡ଼ିଶା ସରକାର ଦୀର୍ଘଦିନରୁ ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟର ସଙ୍ଗୀତ, ନୃତ୍ୟ ଏବଂ ନାଟକକୁ ପ୍ରୋତ୍ସାହନ ଦେବା ଲାଗି ରାଜ୍ୟରେ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଭଳି ପ୍ରତିଷ୍ଠାନ ସ୍ଥାପନ କରାଯାଇଛି। ରାଜ୍ୟର କଳା, ସଂସ୍କୃତି, ପରମ୍ପରାକୁ ଉଜ୍ଜୀବିତ କରି ରଖିବା ଲାଗି ୧୯୯୯ରେ ରାଜ୍ୟ ସରକାର ଉତ୍କଳ ୟୁନିଭର୍‌ସିଟି ଅଫ୍‌ କଲ୍‌ଚର ସ୍ଥାପନ କରିଛନ୍ତି।
ସଂସ୍କୃତିରେ ଓଡ଼ିଶୀ ସଙ୍ଗୀତର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି। ଏଥିଯୋଗୁ ଓଡ଼ିଶା ନାଟ୍ୟକାର, ଚିତ୍ରକର ଏବଂ କୋରିୟଗ୍ରାଫରମାନେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି। ଭଙ୍ଗୀ, ଠାଣି, ଲାଳିତ୍ୟ, ମୁଦ୍ରା ଇତ୍ୟାଦି ଯୋଗୁ ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ସଙ୍ଗୀତ ପାଇଁ ଥିବା ସମସ୍ତ ଗୁଣ ବହନ କରୁଛି। ଏହା ସତ୍ତ୍ୱେ ଏ ପର୍ଯ୍ୟନ୍ତ ଓଡ଼ିଶୀ ସଙ୍ଗୀତ ଜାତୀୟ ସ୍ତରରେ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ପାଇବାରୁ ବଞ୍ଚିତ ହୋଇଛି। ୨୦୨୦ ସେପ୍ଟେମ୍ବର ୨ରେ ରାଜ୍ୟ ଐତିହ୍ୟ କ୍ୟାବିନେଟରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ଦେବାକୁ କେନ୍ଦ୍ରର ଦୃଷ୍ଟିଆକର୍ଷଣ କରିବା ଲାଗି ପ୍ରସ୍ତାବ ଅନୁମୋଦନ କରାଯାଇଛି। ଦେଶ ତଥା ରାଜ୍ୟର ସଙ୍ଗୀତ ପ୍ରେମୀଙ୍କର ବହୁଦିନର ଆଶା ପୂରଣ ପାଇଁ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Share