ରାଜନଗର, ୧୨ା୩(ଭାସ୍କର ରାଉତରାୟ):ଚଳିତ ବର୍ଷ ଡଲ୍ଫିନ୍ ଗଣନା ରିପୋର୍ଟ ମଙ୍ଗଳବାର ପ୍ରକାଶ ପାଇଛି। ଏହି ଅନୁଯାୟୀ ସାରା ଓଡ଼ିଶାରେ ୭୧୦ଟି ଦେଖିବାକୁ ମିଳିଛି। କେବଳ ଭିତରକନିକରେ ୪ ପ୍ରଜାତିର ୫୦୫ଟି ଡଲ୍ଫିନ୍ ଚିହ୍ନଟ କରାଯାଇଛି। ୨୦୨୪ ରେ ୫୦୨ଟି ଡଲ୍ଫିନ୍ ଥିବାବେଳେ ଚଳିତବର୍ଷ ୩ଟି ବଢିଛନ୍ତି।
ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରେ ସାମୁଦ୍ରିକ ଅଭୟାରଣ୍ୟରେ ଜାନୁଆରୀ ୨୭ରୁ ୨୯ତାରିଖ ଯାଏ ଡଲ୍ଫିନ ଗଣନା କରାଯାଇଥିଲା। ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ୯ଟି ଗଣନାକାରୀ ଟିମ୍ ଡଲ୍ଫିନ୍ ଗଣନା କରିଥିଲେ। ଭିତରକନିକା ସହ ଚିଲିକା, ପୁରୀ, ବ୍ରହ୍ମପୁର, ଭଦ୍ରକ ଓ ବାଲେଶ୍ୱରରେ ଡଲ୍ଫିନ୍ଙ୍କ ଗଣନା କରାଯାଇଥିଲା। ରିପୋର୍ଟ ଅନୁସାରେ ଭିତରକନିକରେ ଇରାୱାର୍ଡ ଡଲ୍ଫିନ୍ ୨୨ଟି , ବଟରନୋଜ୍ ୫ଟି, ହମ୍ପବ୍ୟାକ୍ ୪୭୦ଟି, ସ୍ପିନର ୮ଟିକୁ ମିଶାଇ ୫୦୫ଟି ଡଲ୍ଫିନ୍ ଦେଖିବାକୁ ମିଳିଛି। ଚିଲିକାରେ ଇରାୱାର୍ଡ ଡଲ୍ଫିନ୍ ୧୫୯ଟି, ହମ୍ପବ୍ୟାକ ୧୫ଟି ମୋଟ ୧୭୪ଟି ଚିହ୍ନଟ କରାଯାଇଛି। ଏଥିସହ ପୁରୀରେ ୭ଟି , ବ୍ରହ୍ମପୁର ୧୩ଟି, ଭଦ୍ରକରେ ୪ଟି ଓ ବାଲେଶ୍ୱରରେ ୭ଟି ଡଲ୍ଫିନ୍ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ପୂର୍ବରୁ କେବଳ ଚିଲିକାରେ ଡଲ୍ଫିନ୍ ଗଣନା କରାଯାଉଥିଲା। ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିଷ୍ପତ୍ତିକ୍ରମେ ୨୦୧୫ ମସିହାଠାରୁ ଭିତରକନିକା ଅଞ୍ଚଳରେ ଡଲ୍ଫିନ୍ ଗଣନା କରାଯାଉଛି। ଭିତରକନିକା ଅଞ୍ଚଳରେ ଡଲ୍ଫିନ୍ ଗଣନା ପାଇଁ ଚଳିତବର୍ଷ ୯ଟି ଟିମ୍ ଗଣନା କରିଥିଲେ। ସମୁଦ୍ର ମଧ୍ୟରେ ୫ଟି ଟିମ୍ ଓ ନଦୀ, କ୍ରିକ୍ ୪ଟି ଟିମ୍ ଡଲ୍ଫିନ୍ମାନଙ୍କର ଗଣନା କରିଥିଲେ।