ରାଜ୍ୟରେ ୫୦୮୬ ପିଲା ଅଧାରୁ ପାଠଛାଡ଼ିିଛନ୍ତି

ଭୁବନେଶ୍ୱର,୨୩ା୬(ଅନୁରାଧା ମହାରଣା): ଓଡ଼ିଶାରେ ସ୍କୁଲ୍‌ ଡ୍ରପ୍‌ ଆଉଟ ପିଲାଙ୍କ ପରିସଂଖ୍ୟାନ ପ୍ରତିବର୍ଷ ବଢୁଛି। ବର୍ତ୍ତମାନ ଜାତୀୟ ହାର ୧୨ ପ୍ରତିଶତରୁ ଅଧିକ ରହିଥିବାବେଳେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୧୮ହଜାର ଛାତ୍ରୀଛାତ୍ର ଅନୁପସ୍ଥିତ ରହିଥିଲେ। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ବିଭାଗ ଦ୍ୱାରା କରାଯାଇଥିବା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସର୍ଭେରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୫୦୮୬ ଜଣ ପିଲା ସ୍କୁଲ ଆସୁ ନ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ରିପୋର୍ଟ ପରେ ଓଡ଼ିିଶା ସ୍କୁଲ ଶିକ୍ଷା ପ୍ରାଧିକରଣ (ଓସେପା) ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ରାଜ୍ୟର ସମସ୍ତ ଜିଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ଡ୍ରପଆଉଟ ପିଲାଙ୍କୁ ସ୍କୁଲକୁ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
କେନ୍ଦ୍ର ସାମାଜିକ ନ୍ୟାୟ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ଅନ୍ତର୍ଗତ ଦେଶର ୩୯୮ଟି ଜିଲାର ୫୧୧୮ଟି ଗ୍ରାମରେ ସର୍ଭେ କରାଯାଇଥିଲା। ଏହି ସର୍ଭେରେ ୧.୮୩ ଲକ୍ଷ ପିଲା ଅଧାରୁ ପାଠଛାଡ଼ିଥିବା ନେଇ ତଥ୍ୟ ପ୍ରକାଶ ପାଇଥିଲା। ସେଥିମଧ୍ୟରୁ ଓଡ଼ିଶାର ୭ହଜାର ୬୮୨ ଡ୍ରପ ଆଉଟ ପିଲାଙ୍କ ମଧ୍ୟରୁ ୨୫୯୬ ପିଲା ସ୍କୁଲକୁ ଫେରିଥିବାବେଳେ ୫୦୮୬ଜଣ ସ୍କୁଲ ଆସୁ ନ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ପ୍ରାଥମିକ ଶ୍ରେଣୀରେ ୨ହଜାର ୨୯୯ ପିଲା ଅଧାରୁ ପାଠ ଛାଡ଼ିିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୭୯୭ ପିଲା ସ୍କୁଲ ଫେରିଛନ୍ତି। ତଥାପି ବର୍ତ୍ତମାନ ସୁଦ୍ଧା ୩୦ ଜିଲାରୁ ୧୫୦୨ ଜଣ ପିଲା ସ୍କୁଲ ଆସୁନାହାନ୍ତି। ସେହିଭଳି ଅପର-ପ୍ରାଇମେରୀ ବା ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୭୮୦ ପିଲା, ନବମରୁ ଦଶମ ଶ୍ରେଣୀ ମଧ୍ୟରେ ୯୬୫ଜଣ ଏବଂ ଉଚ୍ଚ ମାଧ୍ୟମିକ ବା ଯୁକ୍ତ ୨ରେ ୧୮୩୯ ପିଲା ସ୍କୁଲ ଆସୁ ନ ଥିବା ତଥ୍ୟ ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଓସେପା ପକ୍ଷରୁ ଜିଲାପାଳ ଏବଂ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଡ୍ରପ୍‌ଆଉଟ ପିଲାଙ୍କ ସମସ୍ୟା ସମାଧାନ କରି ତୁରନ୍ତ ସ୍କୁଲ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Share