ହାତୀ ଖାଦ୍ୟ ବୋଝେଇ ଟ୍ରକରେ ଚାଲାଣ ହେଉଥିଲା ଗଞ୍ଜେଇ

କୋରାପୁଟ,୧୪।୧(ସ୍ବ.ପ୍ର.): ହାତୀ ଖାଦ୍ୟ ବୋଝେଇ ଟ୍ରକରେ ୫୧ ବସ୍ତା ଗଞ୍ଜେଇ ଚାଲାଣ ହେଉଥିଲ ବେଳେ କୋରାପୁଟ ଅବକାରୀ ବିଭାଗ ଶୁକ୍ରବାର ଜବତ କରିଛି। ଘଟଣାର ସମ୍ପୃକ୍ତ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ସେ ହେଲେ ସଞ୍ଜୟ ଖୋସ୍ଲା।

ଏକ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା। ଏନେଇ ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ ମୁତାବକ କୋରାପୁଟ ଅବକାରୀ ଅଧିକ୍ଷକ ମୋନଜ କୁମାର ସେଠୀଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢାଉ କରିଥିଲା। ମେଣ୍ଡାଗୁଡା ଗ୍ରାମ ଛକ ନିକଟରେ ଅଧିକାରୀମାନେ ଏକ ୧୨ ଚକିଆ ଟ୍ରକ(ନଂ.ଏମ୍‌ଏଚ୍‌ ୪୦ ସିଡି- ୧୫୫୬)କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଟ୍ରକରୁ ୫୧ ବସ୍ତା ଗଞ୍ଜେଇ ଜବତ କରିଥିଲେ। ଏହାର ଆନୁମାନିକ ମୂଲ୍ୟ ୫୧ ଲକ୍ଷ ୪୫ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

 

Share