
ଭବାନୀପାଟଣା,୨୪ା୩(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାବାସୀଙ୍କ ଦୀର୍ଘଦିନର ଆନ୍ଦୋଳନ ପ ରାଜ୍ୟ ସରକାରଙ୍କ ପକ୍ଷରୁ ଭବାନୀପାଟଣା ସହର ଭଙ୍ଗାବାରୀଠାରେ ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଘୋଷଣା ହୋଇଥିଲା। ୨୦୨୩ ମସିହାରୁ ଏଠାରେ ପାଠପଢା ଆରମ୍ଭ ହୋଇଛି। ହେଲେ ମେଡିକାଲ କଲେଜରେ ଏବେ ବହୁ ଅଧ୍ୟାପକ ପଦବୀ ଖାଲିପଡିଛି। ବର୍ତ୍ତମାନ ୧୫୮ଟି ପଦବୀ ମଧ୍ୟରୁ ୫୧ଟି ଖାଲି ପଡିଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ୨୧ଟି ମଞ୍ଜୁରିପ୍ରାପ୍ତ ପ୍ରଫେସର ପଦବୀ ଥିବାବେଳେ ଏବେ ୧୧ ଜଣ ଅଛନ୍ତି ଓ ୧୦ଟି ପଦବୀ ଖାଲି ପଡିଛି। ସେହିପରି ୨୭ ଜଣ ଆସୋସିଏଟ୍ ପ୍ରଫେସର ପଦବୀ ଥିବାବେଳେ ୧୬ ଜଣ ଅଛନ୍ତି ଓ ୧୧ଟି ପଦବୀ ଖାଲି ରହିଛି। ୪୫ ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଜାଗାରେ ୪୩ ଜଣ କାର୍ଯ୍ୟ କରୁଥିବାବେଳେ ୨ଟି ପଦବୀ ଖାଲି ପଡିଛି। ୨୬ଟି ଟ୍ୟୁଟର୍ ପଦବୀରୁ ୧୩ ଜଣ ଅଛନ୍ତି ଓ ୧୩ଟି ପଦବୀ ଖାଲି ପଡିଛି। ୩୯ ଜଣ ସିନିୟର ରେସିଡେଣ୍ଟ ମଧ୍ୟରୁ ୨୪ ଜଣ କାର୍ଯ୍ୟରତ ଅଛନ୍ତି ଓ ଆହୁରି ୧୫ଟି ପଦବୀ ଖାଲି ଅଛି। କିଛିଦିନ ତଳେ ବିଧାନସଭାରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀଙ୍କ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି। ନିୟମିତ ମନୋନୟନ, ପଦୋନ୍ନତି, ଡେପୁଟେଶନ ଓ ଚୁକ୍ତିଭିତ୍ତିକ ନିଯୁକ୍ତି ମାଧ୍ୟମରେ ଖାଲିଥିବା ପଦବୀଗୁଡିକ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି। ନ୍ୟାଶନାଲ ମେଡିକାଲ କମିସଶନଙ୍କ ନିୟମାବଳୀ ଅନୁଯାୟୀ ମେଡିକାଲ କଲେଜରେ ବିଭିନ୍ନ ଡାକ୍ତରୀ ପଦବୀ ସୃଷ୍ଟି କରାଯାଇଛି। ଯେଉଁଥିରେ ଜୁନିୟର ରେସିଡେଣ୍ଟ ଡାକ୍ତର ପଦ ସୃଷ୍ଟି ପାଇଁ କୌଣସି ନିୟମ ନାହିଁ ବୋଲି ମନ୍ତ୍ରୀ ମହାଲିଙ୍ଗ ପ୍ରକାଶ କରିଛନ୍ତି। ଗତ ୨ବର୍ଷ ଧରି କଲେଜରେ ମାଇକ୍ରୋ ବାୟୋଲୋଜି ବିଭାଗରେ ଏଚ୍ଓଡି ପଦବୀ ଖାଲିଥିବା ବେଳେ ଅସ୍ଥାୟୀ ଅଧ୍ୟାପକଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିଭଳି ଆନାଟୋମି ବିଭାଗର ଏଚ୍ଓଡି ଓ ଟ୍ୟୁଟର୍ ପଦବୀ ପୂରଣ ନ ହୋଇ କାମଚଳାରେ ଚାଲିଛି। ବର୍ତ୍ତମାନ ମେଡିକାଲ କଲେଜରେ ତୃତୀୟ ବର୍ଷ ନିମନ୍ତେ ପାଠପଢା ଆରମ୍ଭ ହେବାକୁ ଥିବାବେଳେ ଅଧ୍ୟାପକ ପଦବୀ ଖାଲିଥିବା ନେଇ ଛାତ୍ରୀଛାତ୍ରମାନେ ଚିନ୍ତାରେ ଅଛନ୍ତି। ତୃତୀୟ ବର୍ଷ ପାଠପଢା ଆରମ୍ଭ ପୂର୍ବରୁ ଅଧ୍ୟାପକ ପଦବୀ ଯଥାଶୀଘ୍ର ପୂରଣ କରିବା ନିମନ୍ତେ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ଦାବି ହୋଇଛି।