Categories: ବାଣିଜ୍ୟ

୫୨୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ କ୍ରୟ ଲକ୍ଷ୍ୟ

ନୂଆଦିଲ୍ଲୀ,୨୪।୮: ଚଳିତ ଆର୍ଥିକ ବର୍ଷର ଖରିଫ ବିପଣନ ଋତୁ ( କେଏମ୍‌ଏସ୍‌) ମଧ୍ୟରେ ଆବଶ୍ୟକ ପରିମାଣର ଚାଉଳ କ୍ରୟ ସହ ଅନ୍ୟାନ୍ୟ ଦିଗ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (ଡିଏଫ୍‌ପିଡି) ସଚିବଙ୍କ ସମେତ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼,ଗୁଜରାଟ,ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ ଓ କଶ୍ମୀର, ଝାଡ଼ଖଣ୍ଡ, କର୍ନାଟକ, ରାଜସ୍ଥାନ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ତାମିଲନାଡ଼ୁ, ତେଲଙ୍ଗାନା, ତ୍ରିପୁରା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗର ମୁଖ୍ୟ ସଚିବ, ଖାଦ୍ୟ ସଚିବ ଏବଂ ଅନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଗତ କିଛି ବର୍ଷ ହେବ ଆକଳନଠାରୁ କମ୍‌ ଚାଉଳ କ୍ରୟ ଏବଂ ଦରବୃଦ୍ଧି ଉଭୟ ଖାଉଟି ଏବଂ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପାଇଁ ଚିନ୍ତାର କାରଣ ପାଲିଟିଛି। ସେହିଭଳି ଆଗାମୀ କେଏମଏସ୍‌ରେ ଖରିଫ ଫସଲର କ୍ରୟ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷର କେଏମ୍‌ଏସ୍‌ ମଧ୍ୟରେ ମୋଟ ୫୨୧.୨୭ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ କ୍ରୟର ଲକ୍ଷ୍ୟ ରଖାଯାଇଛି। ଗତ ଆର୍ଥିକ ବର୍ଷର ଅନୁମାନ ପ୍ରାୟ ୫୧୮ ଲକ୍ଷ ମେଟ୍ରିକ ଟନ୍‌ ଥିଲାବେଳେ ଗତ ଖରିଫ୍‌ ବିପଣନ ଋତୁରେ ମୋଟ ୪୯୬ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ କ୍ରୟ କରାଯାଇଥିଲା। ଚଳିତ ଖରିଫ ବିପଣନ ଋତୁରେ ଚାଉଳର ଆନୁମାନିକ କ୍ରୟ ମଧ୍ୟ ବିଭିନ୍ନ ରାଜ୍ୟ ଅନୁଯାୟୀ ସ୍ଥିର କରାଯାଇଛି। ଏ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ସୂଚୀ ଅନୁଯାୟୀ ପଞ୍ଜାବ-୧୨୨ଏଲ୍‌ଏମ୍‌ଟି, ଛତିଶଗଡ଼ ୬୧ଏଲ୍‌ଏମ୍‌ଟି, ତେଲଙ୍ଗାନା ୫୦ଏଲ୍‌ଏମ୍‌ଟି, ଓଡ଼ିଶା ୪୪.୨୮ଏଲ୍‌ଏମ୍‌ଟି, ଉତ୍ତର ପ୍ରଦେଶ ୪୪ ଏଲ୍‌ଏମ୍‌ଟି, ହରିୟାଣା ୪୦ ଏଲ୍‌ଏମ୍‌ଟି, ମଧ୍ୟପ୍ରଦେଶ ୩୪ ଏଲ୍‌ଏମ୍‌ଟି, ବିହାର ୩୦ ଏଲ୍‌ଏମ୍‌ଟି, ଆନ୍ଧ୍ର ପ୍ରଦେଶ ୨୫ ଏଲ୍‌ଏମ୍‌ଟି, ପଶ୍ଚିମବଙ୍ଗ ୨୪ ଏଲ୍‌ଏମ୍‌ଟି, ଓ ତାମିଲନାଡ଼ୁ ୧୫ ଏଲ୍‌ଏମ୍‌ଟିର କ୍ରୟ ପରିମାଣ ରହିଛି।

ସେହିପରି ଚଳିତ ଖରିଫ୍‌ ବିପଣନ ଋତୁରେ ୩୩.୦୯ ଲକ୍ଷ ମେଟ୍ରିକ୍‌ ଟନ୍‌ ଶ୍ରୀଅନ୍ନ-ବାଜରା (ଶ୍ରୀ ଅନ୍ନ)ର କ୍ରୟ ଅନୁମାନ କରାଯାଇଥିଲାବେଳେ ଗତ ଖରିଫ ବିପଣନ ଋତୁ (ଖରିଫ୍‌ ଓ ରବି)ରେ ମୋଟ ୭.୩୭ ଲକ୍ଷ ମେଟ୍ରିକ୍‌ ଟନର ବାସ୍ତବିକ କ୍ରୟ କରାଯାଇଛି। ଚଳିତ ଖରିଫ ବିପଣନ ଋତୁରୁ ଆରମ୍ଭ କରି ଆଗାମୀ ୩ବର୍ଷ ପର୍ଯ୍ୟନ୍ତ ରାଗିର ସର୍ବନିମ୍ନ ସମର୍ଥନ ମୂଲ୍ୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଉକ୍ତ ବୈଠକରେ ଏଫ୍‌ସିଆଇର ଅଧ୍ୟକ୍ଷଙ୍କ ସମେତ ପ୍ରବନ୍ଧ ନିର୍ଦ୍ଦେଶକ, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ, ଭାରତୀୟ ଜଳବାୟୁ ବିଜ୍ଞାନ ବିଭାଗ ଏବଂ କୃଷି ଏବଂ କୃଷକ କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Share