ପରଜଙ୍ଗ, ୧୦।୭(ଡି.ଏନ୍.ଏ.): ପରିବେଶକୁ କ୍ଷତି ପହଞ୍ଚାଇ ବେଆଇନ ଭାବେ ମୋରମ ଖନନ କରିବା କୁନାଲ ଷ୍ଟ୍ରକ୍ଚର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଠିକାସଂସ୍ଥା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏ ସଂକ୍ରାନ୍ତ ଏକ ମାମଲା ଜାତୀୟ ସବୁଜ ପ୍ରାଧିକରଣ (ଏନ୍ଜିଟି) ନିକଟରେ କରାଯାଇଥିବାବେଳେ ପରିବେଶ ସମ୍ପର୍କିତ କ୍ଷତି ଭରଣା ପାଇଁ ୫୩ ଲକ୍ଷ ଦାଖଲ କରିବାକୁ କମ୍ପାନୀକୁ ଯୁଗ୍ମ ତଦନ୍ତ କମିଟି ନିର୍ଦ୍ଦେଶ ଦେଇଛି।
ଢେଙ୍କାନାଳ ଜିଲା ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ କୁନାଲ ଠିକାସଂସ୍ଥା ନାମରେ ବେଆଇନ ମୋରମ ଉତ୍ତୋଳନ ଅଭିଯୋଗ ଆସିଥିଲା। ପରଜଙ୍ଗ ଏବଂ କାମାକ୍ଷାନଗର ତହସିଲ ଅଧୀନ ସରକାରୀ, ସଂରକ୍ଷିତ ଏବଂ ଅଣସଂରକ୍ଷିତ ଜଙ୍ଗଲ କିସମ ଜମିରୁ କମ୍ପାନୀ ପକ୍ଷରୁ ବେଆଇନ ଭାବେ ମୋରମ ଉତ୍ତୋଳନ କରାଯାଉ ଥିବା ନେଇ ସାମାଜିକ କର୍ମୀ ଶାନ୍ତନୁ କୁମାର ଭୁକ୍ତା ୨୦୨୦ ଡିସେମ୍ବର ୧୪ରେ ଏନ୍ଜିଟିର ଦ୍ୱାରସ୍ଥ ହୋଇଥିଲେ। ଏହାର ତଦନ୍ତ ପାଇଁ ଏନ୍ଜିଟି ପକ୍ଷରୁ ଢେଙ୍କାନାଳ ଜିଲାପାଳ, ବନପାଳ, ଓଡ଼ିଶା ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଭାରତ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଏସ୍ଆଇଏ, କାମାକ୍ଷାନଗର ଓ ପରଜଙ୍ଗ ତହସିଲଦାରଙ୍କୁ ନେଇ ଯୁଗ୍ମ କମିଟି ଗଠନ କରାଯାଇଥିଲା। ଯୁଗ୍ମ କମିଟି ଜୁଲାଇ ୬ରେ ମୋରମ ଉତ୍ତୋଳନ ସ୍ଥଳ ପରିଦର୍ଶନ କରିଥିଲେ। ପରିବେଶ କ୍ଷତି ଭରଣା ପାଇଁ କମ୍ପାନୀକୁ ୨୦.୩୦ ଲକ୍ଷ ଟଙ୍କା, ପରଜଙ୍ଗ ତହସିଲ ଅନ୍ତର୍ଗତ ବଡ଼ଝରା ଗ୍ରାମର ଖାତା ନମ୍ବର-୧୬୮୪, ପ୍ଲଟ ନମ୍ବର-୪୭୮ ଅଧୀନ ଜଙ୍ଗଲ ଜମିରୁ ମୋରମ ଉତ୍ତୋଳନ ପାଇଁ ୩୧ ଲକ୍ଷ ଟଙ୍କା ପ୍ରଦାନ ଲାଗି ବନ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏଥିସହ ଚାରା ରୋପଣ ଲାଗି ୨ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ଯୁଗ୍ମ ତଦନ୍ତ କମିଟି ନିର୍ଦ୍ଧାରଣ କରିଛି। ଏହାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧ରେ କରାଯିବ ବୋଲି ଜଷ୍ଟିସ ସାଇବାଲ ଦାସଗୁପ୍ତା, ଜଷ୍ଟିସ ଅମିତ ଷ୍ଟାଲେକର ଧାର୍ଯ୍ୟ କରିଛନ୍ତି। ଅଭିଯୋଗକାରୀଙ୍କ ପକ୍ଷରୁ ପରିବେଶ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲାର ପରିଚାଳନା କରୁଛନ୍ତି।