୫୩ନଂ. ଏନ୍‌ଏଚ୍‌ ସମ୍ପ୍ରସାରଣ ପାଇଁ ୧୭୪ କୋଟି

ଅନୁଗୋଳ ଅଫିସ, ୧୬।୧:ଅନୁଗୋଳ ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ (ଏନ୍‌ଏଚ୍‌) ୫୩ର ସମ୍ପ୍ରସାରଣ ଏବଂ ଏହାକୁ ଦୁଇ ଲେନ୍‌ ବିଶିଷ୍ଟ କରିବା ଲାଗି ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏଥିଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉକ୍ତ ବ୍ୟସ୍ତବହୁଳ ସଡ଼କ ପାରାଦୀପ ବନ୍ଦର ସମେତ ରାଜ୍ୟର ବୃହତ୍‌ ଶିଳ୍ପାଞ୍ଚଳ ଏବଂ ଖଣି କରିଡରକୁ ସଂଯୋଗ କରୁଛି। ଏହାର ଉନ୍ନତୀକରଣ ହେଲେ ଗମନାଗମନ ସୁରକ୍ଷିତ ହେବ। ଭାରିଯାନ ଚଳାଚଳ ସୁଗମ ହେବ। କୋଲ୍‌ ଇଣ୍ଡିଆ, ଏନ୍‌ଟିପିସି, ଜିନ୍ଦଲ ଷ୍ଟିଲ ଭଳି ଶିଳ୍ପ ପ୍ରତିଷ୍ଠାନର ଆର୍ଥିକ ବିକାଶ ତ୍ୱରାନ୍ବିତ ହେବ। ଅନୁଦାନ ଅର୍ଥ ବିନିଯୋଗରେ ଅନୁଗୋଳ ଜିଲାର ରେଙ୍ଗାଳି, ବଜ୍ରକୋଟ ଏବଂ ଟାକୁଆରେ ୩ଟି ବାଇପାସ୍‌ ନିର୍ମାଣ କରାଯିବ। ଏହାଦ୍ୱାରା ଅନୁଗୋଳ ଏବଂ ସମ୍ବଲପୁର ଜିଲାବାସୀ ଉପକୃତ ହେବେ ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି।

Share