Categories: ଜାତୀୟ

୭୨ ଘଣ୍ଟାରେ ୫୪ ଜଣଙ୍କ ମୃତ୍ୟୁ, ୪୦୦ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ/ଲକ୍ଷ୍ନୌ,୧୮।୬: ବିଗତ କିଛିଦିନ ହେଲା ଦେଶର ଚାରିଆଡ଼େ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଲାଗି ରହିଛି। ଫଳରେ ଲୋକେ ସକାଳ ୮ଟାରୁ ଗରମରେ ଆଉଟୁପାଉଟୁ ହେଉଛନ୍ତି। ଏଭଳି ସ୍ଥିତିରେ ଚିନ୍ତା ବଢାଉଛି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ।

୩ ଦିନ ମଧ୍ୟରେ ଉତ୍ତରପ୍ରଦେଶର ବାଲିଆ ଜିଲା ଡାକ୍ତରଖାନାରେ ୫୪ଜଣଙ୍କ ମୃତ୍ୟୁ ଘଟିଛି। ଏପରିକି ପ୍ରାୟ ୪୦୦ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଡାକ୍ତରଙ୍କ କହିବା ମୁତାବକ, ଯଦିଓ ଲୋକଙ୍କ ମୃତ୍ୟୁର ବିଭିନ୍ନ କାରଣ ରହିଛି। ହେଲେ ବର୍ତ୍ତମାନ ପ୍ରବଳ ଗରମ ଜାରି ରହିଛି। ଏଭଳି ସ୍ଥିତିରେ ଏହା ଅଂଶୁଘାତ ଜନିତ ମୃତ୍ୟୁ ମଧ୍ୟ ଏକ କାରଣ ହୋଇପାରେ। ଉତ୍ତରପ୍ରଦେଶର ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ପ୍ରବଳ ଗରମ ଅନୁଭୁତ ହେଉଛି। ଅନ୍ୟପକ୍ଷେ ରୋଗୀଙ୍କୁ ଜ୍ୱର, ଶ୍ୱାସକ୍ରିୟାରେ ଅସୁବିଧା ଏବଂ ଅନ୍ୟାନ୍ୟ ସମସ୍ୟାରେ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଡାକ୍ତରଖାନା ପକ୍ଷରୁ କର୍ମଚାରୀଙ୍କୁ ସତର୍କ କରି ଦିଆଯାଇଛି।

ଆଜମ୍‌ଗଡ଼ ସର୍କଲ ଅତିରିକ୍ତ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ. ବି.ପି ତିୱାରୀ କହିଛନ୍ତି, ରୋଗୀଙ୍କୁ ଅଧିକ ଚିକିତ୍ସା ପାଇ ଲକ୍ଷ୍ନୌରୁ ଏକ ଡାକ୍ତରୀ ଟିମ୍‌ ଆସୁଛନ୍ତି। ଏପରିକି ଅତ୍ୟଧିକ ଗରମ କିମ୍ବା ଅତ୍ୟଧିକ ଥଣ୍ଡା ଅନୁଭୂତ ହେବା ଦ୍ୱାରା ଶ୍ୱାସ ରୋଗୀ, ମଧୁମେହ ଏବଂ ରକ୍ତଚାପରେ ଆକ୍ରାନ୍ତ ଥିବା ରୋଗୀଙ୍କ ସ୍ବାସ୍ଥ୍ୟପ୍ରତି ବିପଦ ସୃଷ୍ଟି କରିଥାଏ। ଏଥିପ୍ରତି ଲୋକଙ୍କୁ ସଜାଗ ରହିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

ଉତ୍ତରପ୍ରଦେଶ ସ୍ବାସ୍ଥ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ବାଲିଆରେ ଘଟିଥିବା ମୃତ୍ୟୁ ଘଟଣାକୁ ସରକାର ଗୁରୁତର ସହ ନେଇଛନ୍ତି। ଏପରିକି ସେ ବ୍ୟକ୍ତିଗତ ଭାବେ ପରିସ୍ଥିତି ଉପରେ ନଜର ରଖିଥିବା କହିଛନ୍ତି। ନିର୍ଦ୍ଦେଶକ ସ୍ତରର ଦୁଇଜଣ ବରିଷ୍ଠ ଡାକ୍ତରଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ସେମାନେ ଖୁବ ଶୀଘ୍ର ପରିସ୍ଥିତିର ଅନୁଧ୍ୟାନ କରି ପ୍ରଶାସନକୁ ଅବଗତ କରାଇବେ। ଅନ୍ୟପକ୍ଷେ ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡ. ଦୀପକ ସିଂଙ୍କୁ ପଦରୁ ହଟାଇ ଦିଆଯାଇଥିବା ଜଣାପଡିଛି।

Share