Categories: ବାଣିଜ୍ୟ

ନରାକାସ୍‌ର ୫୪ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୨୪।୮: ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ବ୍ୟାଙ୍କ) ଭୁବନେଶ୍ୱରର ୫୪ତମ ଅର୍ଦ୍ଧବାର୍ଷିକ ବୈଠକ ମଙ୍ଗଳବାର ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଭୁବନେଶ୍ୱର ମୁଖ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନରାକାସ୍‌ (ବ୍ୟାଙ୍କ) ଭୁବନେଶ୍ୱରର ଅଧ୍ୟକ୍ଷ ତଥା ଏସ୍‌ବିଆଇ ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ,ରାଜଭାଷା ବିଭାଗର ଉପନିର୍ଦ୍ଦେଶକ(କାର୍ଯ୍ୟାନ୍ବୟନ) ନିର୍ମଳ କୁମାର ଦୁବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆର୍‌ବିଆଇର ଆଞ୍ଚଳିକ ନିର୍ଦ୍ଦେଶକ ଡ. ସାରଦା ପ୍ରସନ୍ନ ମହାନ୍ତି, ନାବାର୍ଡ ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ମହାପ୍ରବନ୍ଧକ ଡ.ସୁଧାଂଶୁ କେ.କେ. ମିଶ୍ର ଏବଂ ଏସ୍‌ବିଆଇର ମଣ୍ଡଳ ବିକାଶ ଅଧିକାରୀ ତଥା ନାରାକାସ୍‌ (ବ୍ୟାଙ୍କ) ଭୁବନେଶ୍ୱରର ଉପାଧ୍ୟକ୍ଷ ମନୋଜ କୁମାର ସିଂହଙ୍କ ସମେତ ଭୁବନେଶ୍ୱରର ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ବୀମା କମ୍ପାନୀର କାର୍ଯ୍ୟାଳୟ ମୁଖ୍ୟ, ବରିଷ୍ଠ ଅଧିକାରୀ ଏବଂ ରାଜଭଷା ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଶର୍ମା ବ୍ୟାଙ୍କିଙ୍ଗ୍‌ ବ୍ୟବସାୟରେ ହିନ୍ଦୀ ଓ ସ୍ଥାନୀୟ ଭାଷାର ଗୁରୁତ୍ୱ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ସେହିଭଳି ଡ.ସାରଦା ହିନ୍ଦୀର ବ୍ୟବହାର ବଢ଼ାଇବା ଓ ହୃଦୟରୁ ହିନ୍ଦୀକୁ ଗ୍ରହଣ କରାଯିବା ଉପରେ ଗୁରୁତ୍ୱ ଦେଇଥିଲାବେଳେ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମହାପ୍ରବନ୍ଧକ ସର୍ବେଶ ରଞ୍ଜନ ଉଚ୍ଚ ଅଧିକାରୀମାନଙ୍କୁ ହିନ୍ଦୀର ବ୍ୟବହାର ପାଇଁ ଅନୁରୋଧ କରିଥିଲେ। ଉଲ୍ଲେଖଯୋଗ୍ୟ,ଏସ୍‌ବିଆଇ ସଂଯୋଜନାରେ ଉକ୍ତ ବୈଠକ ପରିଚାଳିତ ହୋଇଥିଲା।

Share