୫୫ ଗାଁରେ ନାହିଁ ମୋବାଇଲ ନେଟ୍‌ଓ୍ବର୍କ: ମନ୍ତ୍ରୀ କହିଲେ ତାଙ୍କ ପାଖେ ନାହିଁ …

କେନ୍ଦୁଝର,୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଣପାହାଡ଼ ଘେରା ତେଲକୋଇ ନିର୍ବାଚନ ମଣ୍ଡଳୀ ଅଧୀନ ତେଲକୋଇ ଓ ବାଂଶପାଳ ବ୍ଲକରେ ମୋବାଇଲ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସରକାରୀ ସୂଚନା ଅନୁଯାୟୀ, ୫୫ ଗାଁରେ ମୋବାଇଲ ନେଟଓ୍ବର୍କ ସେବା ଉପଲବ୍ଧ ହେଉନାହିଁ। ତେବେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ହେବ ବୋଲି ସ୍ଥାନୀୟ ଲୋକ କହୁଛନ୍ତି। ବିଶେଷ କରି ଦୁର୍ଗମ ଅଞ୍ଚଳର ଅନେକ ଗ୍ରାମରେ ଏହି ସମସ୍ୟା ଲାଗିରହିଛି। ଫଳରେ ସ୍ଥାନୀୟ ଲୋକେ ଯୋଗାଯୋଗ କରିବାରେ ସମସ୍ୟା ଭୋଗୁଛନ୍ତି। ଜରୁରୀକାଳୀନ ଆମ୍ବୁଲାନ୍ସ, ଦମକଳ ସେବା ପାଇବାରେ ଅସୁବିଧା ହେଉଛି। ସେହିପରି ପିଲାଙ୍କ ପାଠପଢ଼ାରେ ମଧ୍ୟ ସମସ୍ୟା ଦେଖାଦେଉଛି। ଅନେକ ମୋବାଇଲ ଟାଓ୍ବାର କାମ କରୁ ନ ଥିବା ବେଳେ କେତେକ ବନ୍ଦ ରହିଥିବା ମଧ୍ୟ ଅଭିଯୋଗ ହୋଇଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ପ୍ରଶ୍ନର ଉତ୍ତରେ କହିଛନ୍ତି ଯେ, ଉକ୍ତ ଅଞ୍ଚଳରେ ମୋବଇାଲ ଟାଓ୍ବାର କାର୍ଯ୍ୟକ୍ଷମ ହେଉ ନ ଥିବା ସମ୍ପର୍କୀୟ ସୂଚନା ତାଙ୍କ ବିଭାଗ ପାଖରେ ନାହିଁ।ଭାରତୀୟ ଦୂରସଂଚାର ବିଭାଗର ସୂଚନା ଅନୁଯାୟୀ, ତେଲକୋଇ ନିର୍ବାଚନ ମଣ୍ଡଳୀର ୪୮୬ ଗ୍ରାମରୁ ୪୩୧ଟି ଗ୍ରାମରେ ମୋବାଇଲ ସେବା ଉପଲବ୍ଧ ଅଛି। ଅବଶିଷ୍ଟ ୫୫ ଗ୍ରାମ ମଧ୍ୟରୁ ୪୩ଟି ଗ୍ରାମକୁ ମୋବାଇଲ ସେବା ଯୋଗାଇଦେବାକୁ ବିଏସ୍‌ଏନ୍‌ଏଲ୍‌ ୪ଜି ସାଚୁରେସନ ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି। ଅବଶିଷ୍ଟ ୧୨ଟି ଗ୍ରାମକୁ ମୋବଇଲ ସେବା ଯୋଗାଇଦେବା ପାଇଁ ଅନୁରୋଧ କରାଯାଇଛି।

Share