ବିଜୁ ସେତୁ ଯୋଜନାରେ ୫୫୦ ନୂଆ ପ୍ରକଳ୍ପ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରାଜ୍ୟ ସରକାର ବିଜୁ ସେତୁ ଯୋଜନାରେ ରାଜ୍ୟର ପ୍ରତି କୋଣଅନୁକୋଣରେ ସେତୁ ନିର୍ମାଣ କରିବା ପାଇଁ ୩୯୬ ସେତୁ ନିର୍ମାଣ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏବେ ଏହି ଯୋଜନାରେ ଆହୁରି ୫୫୦ ନୂତନ ପ୍ରକଳ୍ପକୁ ସାମିଲ କରାଯାଇଛି। ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟ ସରକାର ଏହି ଯୋଜନାରେ ୫୧୮୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।
ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି। ରାଜ୍ୟ ସରକାର ଜଳ ଜୀବନ ମିଶନ ଯୋଜନାରେ ଗଜପତି ଓ କନ୍ଧମାଳ ଜିଲାରେ ୩ଟି ବୃହତ୍‌ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ସକାଶେ ଡକାଯାଇଥିବା ୬୨୨.୧୩ କୋଟିର ଟେଣ୍ଡର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଉକ୍ତ ପ୍ରକଳ୍ପ ଦ୍ୱାରା ଉପରୋକ୍ତ ଜିଲାର ୫ ବ୍ଲକ ଅଧୀନରେ ୮୨ ଗ୍ରାମପଞ୍ଚାୟତ ଅନ୍ତର୍ଗତ ୯୨୦ ଗ୍ରାମରେ ବାସ କରୁଥିବା ପ୍ରାୟ ୨,୮୨,୫୦୫ ଜଣଙ୍କୁ ନିରାପଦ ପାନୀୟ ଜଳ ମିଳିପାରିବ।

Share