ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ ଗବେଷଣାମୂଳକ ସର୍ଭେରୁ ଜଣାପଡ଼ିଛି। ପ୍ଲାଷ୍ଟିକ୍‌ ଉତ୍ପାଦନ ମାତ୍ରାର ପ୍ରତ୍ୟେକ ପ୍ରତିଶତରେ ସମ ହାରର ପରିବେଶର ପ୍ଲାଷ୍ଟିକ୍‌ଜନିତ ପ୍ରଦୂଷଣ ବୃଦ୍ଧି ପାଉଛି ବୋଲି ଗବେଷକମାନେ ନିଷ୍କର୍ଷରେ ପହଞ୍ଚତ୍ଛନ୍ତି। ଅଣଲାଭକାରୀ ସଂସ୍ଥା ଦି ୫ ଗାଇରେସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ନିର୍ଦ୍ଦେଶକ ଲିଶା ଏର୍ଡଲେ କହିଛନ୍ତି, ପ୍ଲାଷ୍ଟିକ୍‌ ଉତ୍ପାଦନ ହିଁ ପ୍ରଦୂଷଣ। ସ୍ବେଚ୍ଛାସେବୀମାନଙ୍କର ଏକ ଅନ୍ତର୍ଜାତୀୟ ଦଳ ୮୪ଟି ଦେଶରୁ ସଂଗୃହୀତ ୧୮,୭୦,୦୦୦ ପ୍ଲାଷ୍ଟିକ୍‌ ବର୍ଜ୍ୟ ଉପକରଣ ଉପରେ ଗବେଷଣା କରିଥିଲେ। ଥରେ ବ୍ୟବହାରଯୋଗ୍ୟ ଖାଦ୍ୟ ପ୍ୟାକେଟ, ବେଭେରେଜ ଓ ତମାଖୁ ଉତ୍ପାଦଗୁଡ଼ିକର ଖୋଳ ଆଦି ଉପରେ ଗବେଷଣା ପାଇଁ ସେମାନଙ୍କୁ ୫ ବର୍ଷ ଲାଗିଥିଲା। ଗବେଷଣାରୁ ଜଣାପଡ଼ିଛି ଯେ, ଅଧାରୁ ଅଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ଏଭଳି ସାମଗ୍ରୀ ଉତ୍ପାଦନ କରୁଥିବା ୫୬ଟି ଫାଷ୍ଟ-ମୁଭିଂ କଞ୍ଜ୍ୟୁମର ଗୁଡ୍ସ (ଏଫ୍‌ଏମ୍‌ସିଜି) ବହୁରାଷ୍ଟ୍ରୀୟ କମ୍ପାନୀକୁ ଦାୟୀ କରାଯାଇପାରିବ। ଏକ-ଚତୁର୍ଥାଂଶ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପଛରେ ୬ଟି କମ୍ପାନୀ ରହିଛି। ଦୁଇ ତମାଖୁ କମ୍ପାନୀ ଅଲଟ୍ରିଆ ଏବଂ ଫିଲିପ୍‌ ମୋରିସ୍‌ ଇଣ୍ଟରନ୍ୟାଶନାଲ ମିଳିତ ଭାବେ ୨% ପ୍ରଦୂଷଣ ପାଇଁ ଦାୟୀ। ସେହିପରି ଡାନୋନ୍‌ ଏବଂ ନେସ୍‌ଲେ ଏଥିରୁ ୩% ଲେଖାଏ ପ୍ରଦୂଷଣ ସୃଷ୍ଟି କରୁଛନ୍ତି। ପେପ୍ସିକୋ ୫% ପ୍ୟାକେଜିଂ ଆବର୍ଜନା ସୃଷ୍ଟି କରୁଥିବାବେଳେ କୋକାକୋଲା କମ୍ପାନୀ ୧୧% ବ୍ରାଣ୍ଡେଡ୍‌ ପ୍ଲାଷ୍ଟିକ୍‌ ଆବର୍ଜନା ସୃଷ୍ଟିକାରୀ କମ୍ପାନୀ।

Share