ନୂଆଦିଲ୍ଲୀ: ଦେଶ ମଧ୍ୟରେ ଚାଲୁଥିବା ପ୍ରାୟ ୫୭% ଯାନର ଇନସ୍ୟୁରାନ୍ସ ନାହିଁ। ଗତ ବର୍ଷ ଏହା ୫୪% ସ୍ତରରେ ରହିଥିବା ବେଳେ ଚଳିତ ବର୍ଷ ଏଥିରେ ୩% ବୃଦ୍ଧି ହୋଇଥିବା ଇନସ୍ୟୁରାନ୍ସ ଇନଫରମେଶନ ବ୍ୟୁରୋ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି। ରାଜ୍ୟ ସ୍ତରରେ ଟ୍ରାଫିକ ପୋଲିସ ଦ୍ୱାରା ନିୟମକୁ କଡାକଡି କରାନ ଯିବା, ବୀମା ଯୋଗାଣକାରୀଙ୍କ ଠାରୁ ଫଲୋଅପର ଅଭାବ ଏବଂ ଥାର୍ଡ ପାର୍ଟି ବୀମା ଲାଗି ଲୋକଙ୍କୁ ଅଧିକ ମୂଲ୍ୟ ପ୍ରଦାନ କରିବାକୁ ପଡୁଥିବାରୁ ଯାନର ମାଲିକମାନେ ସେମାନଙ୍କ ମୋଟର ଇନସ୍ୟୁରାନ୍ସ ପଲିସିକୁ ନବୀକରଣ କରୁ ନଥିବା ଦେଖାଯାଉଛି। ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଦେଶ ମଧ୍ୟରେ ୨୩ କୋଟିରୁ ଅଧିକ ଯାନ ଚଳାଚଳ କରୁଛି। ଏଥି ମଧ୍ୟରୁ ୫୭% ବା ୧୩.୨ କୋଟି ଯାନର ଇନସ୍ୟୁରାନ୍ସ ନାହିଁ।
ଏହି ଯାନଗୁଡିକ ବିନା ତୃତୀୟ ପକ୍ଷ ବୀମା କଭର ସହ ପରିଚାଳିତ ହେଉଛି। ବୀମା ନ ଥିବାରୁ ଏହି ଯାନ ଯଦି କୌଣସି ଦୁର୍ଘଟଣା କରନ୍ତି ତେବେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ବିଶେଷ ପର୍ଯ୍ୟାପ୍ତ ପରିମାଣର ପାଇବେ ନାହିଁ। ଯାନର ମାଲିକଙ୍କୁ ମଧ୍ୟ ବିଶେଷ ସୁବିଧା ମିଳିବ ନାହିଁ। ଆର୍ଥତ୍କ ବର୍ଷ ୨୦୧୭-୧୮ରେ ୨୧.୧ କୋଟି ଯାନ ଚଳାଚଳ କରୁଥିଲା। ଏଥି ମଧ୍ୟରୁ ୫୪% ବା ୧୧.୪ କୋଟି ଯାନର ଇନସ୍ୟୁରାନ୍ସ ନ ଥିଲା। ଗୋଟିଏ ବର୍ଷରେ ନିୟମ ଅନୁପାଳନ କରୁ ନ ଥିବା ଯାନ ସଂଖ୍ୟା ୨ କୋଟି ବଢିଛି। ଇନସ୍ୟୁରାନ୍ସ କରୁ ନ ଥିବା ଅଧିକାଂଶ ଯାନ ୨ ଚକିଆ ବର୍ଗର ବୋଲି ଜଣାପଡିଛି। ଭାରତରେ ଗଡୁଥିବା ମୋଟ ଯାନର ଦୁଇ ଚକିଆ ଯାନ ୫୭% ରହିଛି। ଏହା ମଧ୍ୟରୁ ୬୬% ଯାନର ଇନସ୍ୟୁରାନ୍ସ ନାହିଁ। ୧୫ ରାଜ୍ୟର ୬୦% ବୀମା ସୁବିଧା ନେଇ ନାହାନ୍ତି। ଦକ୍ଷିଣ ଭାଗରେ ରହିଥିବା ରାଜ୍ୟଗୁଡିକରେ ଅନୁପାଳନ ନିୟମ ଉନ୍ନତ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।