୫୭% ଟିକା ବ୍ୟବହାର, ବାକି ଯାଉଛି କୁଆଡ଼େ

ନୂଆଦିଲ୍ଲୀ, ୨୫ା୫: ଦେଶରେ ଆବଶ୍ୟକ କୋଭିଡ୍‌ ଭାକ୍ସିନ ଅଭାବରୁ ଟିକାକରଣ କାର୍ଯ୍ୟକ୍ରମ ଆଶାନୁରୂପ ଆଗେଇ ପାରୁନାହିଁ। ଏପରିକି ବିଭିନ୍ନ ରାଜ୍ୟରେ ଅନେକ ଟିକାଦାନ କେନ୍ଦ୍ର ବନ୍ଦ ହୋଇଗଲାଣି। ଟିକା ଅଭାବକୁ ନେଇ ସରକାର ସମାଲୋଚିତ ହୋଇଛନ୍ତି। ତେବେ ସୋମବାର କେରଳ ହାଇକୋର୍ଟରେ ସରକାର ଦେଇଥିବା ତଥ୍ୟ ଅନୁଯାୟୀ ଭାରତରେ ଯେତିକି କୋଭିଡ୍‌ ଟିକା ଉତ୍ପାଦନ ହେଉଛି, ତା’ର ୫୭ ପ୍ରତିଶତରୁ କମ୍‌ ଟିକାକରଣରେ ବ୍ୟବହୃତ ହେଉଛି। ତେବେ ଅବଶିଷ୍ଟ ୪୩ ପ୍ରତିଶତ ଟିକା କୁଆଡ଼େ ଯାଉଛି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରଙ୍କ ସୂଚନା ଅନୁଯାୟୀ ଭାରତ ମାସିକ ୮.୫ କୋଟିରୁ ଊର୍ଦ୍ଧ୍ୱ ଟିକା ଉତ୍ପାଦନ କରୁଛି। ଅନ୍ୟପକ୍ଷରେ ଦେଶରେ ଦିନକୁ ୧୨ରୁ ୧୩ ଲକ୍ଷ ଟିକା ଦିଆଯାଉଛି। ଅର୍ଥାତ୍‌ ଦୈନିକ ପ୍ରାୟ ୨୮.୩୩ ପ୍ରତିଶତ ଟିକା ପ୍ରସ୍ତୁତ ହେଉଥିବାବେଳେ ମାତ୍ର ୫୭ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚୁଛି।
ଏପରିକି ସର୍ବାଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର ଓ ଦିଲ୍ଲୀରେ ଟିକା ଅଭାବ ଯୋଗୁ ଅନେକ ଟିକାଦାନ କେନ୍ଦ୍ରକୁ ବନ୍ଦ କରିଦିଆଯାଇଛି। ଅଧିକାଂଶ ରାଜ୍ୟ ବିଦେଶରୁ ଟିକା କିଣିବା ଲାଗି ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି। ତେବେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟିକା ବିକିବା ଲାଗି ବିଦେଶୀ କମ୍ପାନୀଗୁଡ଼ିକ ରାଜି ହେଉନାହାନ୍ତି। ସୂଚନାଯୋଗ୍ୟ କେରଳ ହାଇକୋର୍ଟ ନିଜ ଆଡ଼ୁ ରାଜ୍ୟର କୋଭିଡ୍‌ ସ୍ଥିତିକୁ ବିଚାରକୁ ନେଇ ଗତ ୨୦ ତାରିଖରେ ଶୁଣାଣି କରିଥିଲେ ଏବଂ ରାଜ୍ୟରେ ଟିକାକରଣର ସମୟସୀମା ସମ୍ପର୍କରେ ସବିଶେଷ ବିବରଣୀ ଦେବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ। କେନ୍ଦ୍ର ସରକାର ଏକ ସତ୍ୟପାଠ ଜରିଆରେ ଟିକାକରଣ ନୀତିର ବିବରଣୀ ସୋମବାର ହାଇକୋର୍ଟରେ ଦାଖଲ କରିଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଟିକା ବିତରଣ ଲାଗି କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ନ ଥିବା କେନ୍ଦ୍ର କହିଛି। ସରକାରଙ୍କ ସୂଚନା ଅନୁଯାୟୀ ପୁଣେର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ମାସିକ ୬.୫ କୋଟି ଡୋଜ୍‌ କୋଭିଶିଲ୍ଡ ଉତ୍ପାଦନ କରୁଥିବାବେଳେ ଭାରତ ବାୟୋଟେକ୍‌ ୨ କୋଟି ଡୋଜ୍‌ କୋଭାକ୍ସିନ ପ୍ରସ୍ତୁତ କରୁଛି। ଆଗାମୀ ଦୁଇମାସରେ ଟିକା ଯୋଗାଣରେ ଉନ୍ନତି ଘଟିବ ବୋଲି କେନ୍ଦ୍ର କହିଛି। ରୁଷିଆ ପ୍ରସ୍ତୁତ ସ୍ପୁଟନିକ୍‌-ଭି ଟିକା ଏବେ ଭାରତରେ ଉପଲବ୍ଧ ହେଲାଣି। ଜୁଲାଇ ସୁଦ୍ଧା ଏହାର ଉତ୍ପାଦନ ୩୦ ଲକ୍ଷରୁ ୧.୨ କୋଟି ଡୋଜ୍‌ରେ ପହଞ୍ଚତ୍ବ ବୋଲି ଆଶା କରାଯାଉଛି।

Share