୫୭ ହଜାର ଘନମିଟର ବାଲି ଡେରାବିଶରୁ ଯିବ ଆଣ୍ଡାମାନ

କେନ୍ଦ୍ରାପଡା ଅଫିସ,୧୪ା୪: ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କୁ କେନ୍ଦ୍ରାପଡ଼ା ଏଡିଏମ୍‌ ଦୁର୍ଗାପ୍ରସାଦ ମହାରଣା ଗୁରୁବାର ଲେଖିଥିବା ଚିଠି (ନଂ.୧୦୦୫) ସ୍ଥାନୀୟ ଅଞ୍ଚଳର ପରିବେଶବିତ୍‌ଙ୍କୁ ଚିନ୍ତାରେ ପକାଇଛି। ବାରମ୍ବାର ଲଘୁ ଖଣିଜ ସମ୍ପଦ ଚୋରି ହେଉଥିବା ନେଇ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲରେ ମାମଲା ହେଉଥିବା ବେଳେ ଏହି ଜିଲା ଡେରାବିଶ ବ୍ଲକ ଅଞ୍ଚଳରୁ ୫୭ ହଜାର ଘନମିଟର ବାଲି ଆଣ୍ଡାମାନକୁ ନିଆଯାଉଥିବା ସୂଚନା ମିଳିଛି। ଏ ନେଇ ମେସର୍ସ ଶକ୍ତି ସିପିଂ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡର ଜାହାଜ ପାରାଦୀପ ବନ୍ଦର ନିକଟରେ ଠିଆ ହୋଇଥିବା ଜଣାପଡିଛି। ଲଘୁ ସମ୍ପଦ ଚୋରି ରୋକା ଯାଇ ପାରୁ ନ ଥିବା ବେଳେ ଏତେ ପରିମାଣରେ ବାଲି କେଉ ସଇରାତରୁ ଯାଉଛି ବୋଲି ସେମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସୂଚନା ଅଧିକାର ଅଭିଯାନ ଜିଲା ଆବାହକ ପ୍ରତାପ କୁମାର ମହାନ୍ତି, କର୍ମକର୍ତ୍ତା ଆଳୟ ସାମନ୍ତରାୟ, ଅଶେଷ କୁମାର ଖଟୁଆ ପ୍ରମୁଖ କହିଛନ୍ତି, ଗତ ୧୦ ତାରିଖରେ କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜ ଏକ ଚିଠି (ନଂ. ୯୪୯)ରେ ଶକ୍ତି ସିପିଂକୁ ୫୭ ହଜାର ଘନମିଟର ନଦୀ ବାଲି ଯୋଗାଣ ପାଇଁ ଅନୁମତି ଦେଇଛନ୍ତି। ୨୦୧୯ ଡିସେମ୍ବର ୨୧ରେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଏକ ପ୍ରଦତ୍ତ ନିର୍ଦ୍ଦେଶନାମା (ନଂ.୪୦୮୯୫/ ଆର୍‌ ଆଣ୍ଡ ଡିଏମ୍‌) କାର୍ଯ୍ୟକାରୀ ହୋଇଛି। ତେବେ ଗତ ୧୦ ତାରିଖରେ ଏହି ଚିଠି ଶକ୍ତି ସିପିଂକୁ ଦିଆଯାଇଥିବା ବେଳେ ୨ଦିନ ମଧ୍ୟରେ ଜାହାଜ ଆସିଛି। ଯାହାକି ଏକ ଅସମ୍ଭବ ପଥକୁ ଅତିକ୍ରମ କରିଛି। ଏହାବ୍ୟତିତ ପ୍ରଥମ ଦଫାରେ ନେବାକୁ ଥିବା ବାଲି କେଉଁ ସଇରାତରୁ ନିଆଯିବ ଚିଠିରେ ସ୍ପଷ୍ଟିକରଣ ନାହିଁ। ଅପରପକ୍ଷରେ ଜଳପଥରେ ବାଲି ଚାଲାଣ ସମ୍ପର୍କରେ ବନ୍ଦର ଅଧ୍ୟକ୍ଷଙ୍କୁ ଏଡିଏମ୍‌ଙ୍କ ଚିଠି ଏବେ ସନ୍ଦେହରେ ପକାଇଛି। ଏଡିଏମ୍‌ ମହାରଣାଙ୍କ ଚିଠି ଅନୁଯାୟୀ କେବଳ ଆନ୍ତରାଜ୍ୟ ଟ୍ରାନସ୍ପୋର୍ଟିଂ ଅନୁମତି ପ୍ରଦାନ କରାଯାଇଥିବା ବେଳେ ଏହାର ତନଖି ପାଇଁ ବନ୍ଦର ଅଧ୍ୟକ୍ଷଙ୍କୁ ଚିଠି ହୋଇଛି। ଏତେ ପରିମାଣର ବାଲି ଚାଲାଣକୁ ବିରୋଧ ହେବ ବୋଲି ସୂଚନା ଅଧିକାର ଅଭିଯାନର କର୍ମକର୍ତ୍ତାମାନେ କହିଛନ୍ତି।