ଗଣେଶ ପୂଜା ବାସି ଭୋଗ ଖାଇ ୫୮ ଜଣ ଅସୁସ୍ଥ

ବୌଦ୍ଧ/ପୁରୁଣାକଟକ,୨୧ା୯-(ଅଜିତ କୁମାର ବାରିକ/ ସୁକାନ୍ତ କୁମାର ପଟନାୟକ ) ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତର ମୁଷାଡ ଗ୍ରାମରେ ଗଣେଶ ପୂଜା ବାସି ଭୋଗ ଖାଇ ବୁଧବାର ୫୮ ଜଣ ଅସୁସ୍ଥ ହୋଇ ପଡିଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାଯାଇଛି। ପ୍ରକାଶ ଯେ, ମୁଷାଡ ଗ୍ରାମରେ ଯୁବକମାନଙ୍କ ଦ୍ୱାରା ମଙ୍ଗଳବାର ଗଣେଶ ପୂଜା ପାଳନ କରାଯାଇଥିଲା। ଏହି ଗଣେଶ ପୂଜାରେ ଠାକୁରଙ୍କ ପାଖରେ ପୂଜା ହୋଇଥିବା ବାସି ଚୁଡା ଭୋଗକୁ ବୁଧବାର ପୂର୍ବାହ୍ନରେ ଗଁା ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ତେବେ ଭୋଗ ଖାଇବାର କିଛି ସମୟ ପରେ ଅଧିକାଂଶ ବ୍ୟକ୍ତି ବାନ୍ତି କରିବା ସହ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ସମସ୍ତଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲାା ମାତ୍ର ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଶଯ୍ୟା ନ ଥିବାରୁ ୨୫ ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲାା ପ୍ରାଥମିକ ଚିକିତ୍ସା ପରେ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି। ଅନ୍ୟମାନେ ଏବେ ବି ଚିକିତ୍ସାଧୀନ ଅଛନ୍ତି। ଏ ସମ୍ପର୍କରେ ଖବର ପାଇ ବୌଦ୍ଧ ଏନ୍‌ଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଜିଲା ମୁଖ୍ୟ ଚିକିତ୍ସାଳୟ ଯାଇ ଅସୁସ୍ଥ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିବା ବେଳେ ସ୍ଥିତି ଅନୁଧ୍ୟାନ କରିଛନ୍ତି।