କଥାରେ ଅଛି, ତୁଳସୀ ଦୁଇ ପତ୍ରରୁ ବାସେ। ଅର୍ଥାତ୍ ପିଲାଦିନରୁ ହିଁ ପ୍ରତିଭା ସମ୍ପର୍କରେ ଜଣାପଡ଼େ। ଏହି ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ହୁଗୁଳିଘାଟରେ ରହୁଥିବା ପ୍ରଥମ ଶ୍ରେଣୀର ଛାତ୍ର ରାଜନାଥ ଦତ୍ତଙ୍କ କ୍ଷେତ୍ରରେ। ରାଜନାଥ କଠିନ ପରିଶ୍ରମ କରି ମାତ୍ର ୩୦ ସେକେଣ୍ଡ୍ରେ ୫୮ ଥର ପୁଶ୍ଅପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ସୃଷ୍ଟି କରିଛନ୍ତି। ପିଲାଦିନରୁ ତାଙ୍କର ଜିମ୍ନାଷ୍ଟିକ୍ ପ୍ରତି ରୁଚି ଦେଖି ତାଙ୍କ ମାତାପିତା ତାଙ୍କୁ ପ୍ରେରଣା ଦେଇଥିଲେ। କାରଣ ରାଜନାଥଙ୍କ ମାତାପିତା ମଧ୍ୟ ଭଲ ଜିମ୍ନାଷ୍ଟିକ୍ ଖେଳାଳି।
କରୋନା ସମୟରେ ଭର୍ଚୁଆଲ ମାଧ୍ୟମରେ ରାଜନାଥ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସର ଲାଇଭ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରି ସମଗ୍ର ଭାରତବାସୀଙ୍କୁ ଚକିତ କରିଦେଇଥିଲେ। ସର୍ବଭାରତୀୟ ସଂସ୍ଥା ପକ୍ଷରୁ ଏବେ ତାଙ୍କୁ ମଡେଲ ଏବଂ ସାର୍ଟିଫିକେଟ ମିଳିଛି।
ରାଜନାଥଙ୍କ ପିତା କୌଶିକ ଦତ୍ତ କୁହନ୍ତି, ତାଙ୍କର ଆର୍ଥିକ ସ୍ଥିତି ବହୁତ ଖରାପ। ଏଥିପାଇଁ ତାଙ୍କ ପୁଅ ପ୍ରତିକୂଳ ଅବସ୍ଥାର ସାମ୍ନା କରି ଏହି ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି। ସେ କହିଛନ୍ତି, ଯଦି ଦେଶ ଏବଂ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରନ୍ତି ତେବେ ତାଙ୍କ ପୁଅ ଆହୁରି ନାଁ କମାଇବ।
ରାଜନାଥଙ୍କ ପିତା ପେସାରେ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ମା’ ଜଣେ ଗୃହିଣୀ। ଦିନ ଥିଲା ସେମାନେ ମଧ୍ୟ ଜିମ୍ନାଷ୍ଟିକ୍ରେ ଭାଗ ନେଉଥିଲେ। ତାଙ୍କ ମା’ ନିଜ ସ୍ବପ୍ନ ସିନା ଅଧୁରା ରଖିଲେ କିନ୍ତୁ ପୁଅର ସ୍ବପ୍ନ ପୂରା କରିବାକୁ ଚାହୁଁଛନ୍ତି।