୧୩୩୨ ହିତାଧିକାରୀଙ୍କୁ ୫୯.୨୩ କୋଟି ଋଣ

ବାଲେଶ୍ୱର ଅଫିସ, ୯।୧୦: ବାଲେଶ୍ୱର ବ୍ରିଟ୍‌ କଲ୍ୟାଣ ମଣ୍ଡପଠାରେ ଏକ ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲାର ୧୩୩୨ଜଣ ହିତାଧିକାରୀଙ୍କୁ ବିଭିନ୍ନ ବ୍ୟାଙ୍କ ତରଫରୁ ୫୯.୨୩ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି। ଭାରତ ସରକାରଙ୍କ ଅଧୀନ ଅର୍ଥନୈତିକ ସେବା ବିଭାଗ ନିର୍ଦ୍ଦେଶକ୍ରମେ ଜିଲା ଅଗ୍ରଣୀ ବ୍ୟାଙ୍କ ୟୁକୋ ବ୍ୟାଙ୍କ ସମେତ ଅନ୍ୟାନ୍ୟ ବ୍ୟାଙ୍କ ସହଯୋଗରେ ଆୟୋଜିତ ଶିବିରକୁ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଉଦ୍‌ଘାଟନ କରି ସମ୍ପ୍ରତି ବ୍ୟାଙ୍କ ସେବାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିଥିବା ମତବ୍ୟକ୍ତ କରିଥିଲେ। ପୂର୍ବରୁ କୌଣସି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ଜଟିଳ ପ୍ରକ୍ରିୟା ହୋଇଥିବା ବେଳେ ଏବେ ତାହା ଅତ୍ୟନ୍ତ ସରଳ ହୋଇପାରିଥିବା ସେ କହିଥିଲେ। ବ୍ୟାଙ୍କ ଋଣ ପାଇବା ମଧ୍ୟ ଏବେ ସହଜ ହୋଇପାରିଛି । ସରକାରୀ ସ୍କିମ୍‌ରେ କମ୍‌ ସୁଧ ବା ସବ୍‌ସିଡ଼ିରେ ଜନସାଧାରଣ ଋଣ ପାଇପାରିବେ। ତେଣୁ ଏ ଦିଗରେ ପଦକ୍ଷେପ ନେବା ସହ ବାଲେଶ୍ୱର ଜିଲାର ଜନସାଧରଣଙ୍କ ଆବଶ୍ୟକତା ଅନୁଯାୟୀ ବ୍ୟାଙ୍କମାନେ ଋଣ ପ୍ରଦାନ ଲାଗି ଆଗେଇ ଆସିବାକୁ ଜିଲାପାଳ ଆହ୍ବାନ ଦେଇଥିଲେ ।
ୟୁକୋ ବ୍ୟାଙ୍କ କ୍ଷେତ୍ରୀୟ ପ୍ରବନ୍ଧକ ଲଲାଟେନ୍ଦୁ ବେହେରା, ନାବାର୍ଡ ଜିଲା ଉନ୍ନୟନ ଅଧିକାରୀ ତାପସ ରଞ୍ଜନ ପ୍ରଧାନ, ୟୁନିଅନ ବ୍ୟାଙ୍କ କ୍ଷେତ୍ରୀୟ ପ୍ରବନ୍ଧକ ଶଙ୍କର ହେମ୍ବ୍ରମ, ଜିଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ସୁଦୀପ ଡାକୁଆ, ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଶୁଭାଶିଷ ମହାପାତ୍ର, ମତ୍ସ୍ୟ ବିଭାଗ ଉପନିର୍ଦ୍ଦେଶକ ସନ୍ତୋଷ ଦଳେଇ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟତଃ କୃଷି, ଅଣୁ ଓ କ୍ଷୁଦ୍ର ଶିଳ୍ପ, ଗୃହ ଋଣ, ଗୋଷ୍ଠୀ ଋଣ ଆଦିକୁ ଅଗ୍ରାଧିକାର ଦେବା ସହିତ ଖାଉଟି ଉପଭୋକ୍ତା ଋଣ, ଅଟୋମୋବାଇଲ ଋଣକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହାଦ୍ୱାରା ଅର୍ଥନୈତିକ ଅଗ୍ରଗତି ସହିତ ରୋଜଗାରର କ୍ଷେତ୍ର ମଧ୍ୟ ସୃଷ୍ଟି ହୋଇପାରିବ। ଶିବିରରେ ଜିଲାରେ କାର୍ଯ୍ୟରତ ପ୍ରାୟ ୨୫ଟି ସରକାରୀ, ବେସରକାରୀ ବ୍ୟାଙ୍କ ଅଂଶଗ୍ରହଣ କରି ନିଜ ଷ୍ଟଲ ମାଧ୍ୟମରେ ବ୍ୟାଙ୍କ ସ୍କିମ୍‌ଗୁଡିକର ପ୍ରଦର୍ଶନ କରିଥିଲେ। ଗ୍ରାହକମାନଙ୍କୁ ସରଳ ଭାବରେ ବ୍ୟାଙ୍କ ଋଣ ଏବଂ ଅନ୍ୟାନ୍ୟ ବ୍ୟାଙ୍କ ସେବା ସମ୍ପର୍କରେ ବୁଝାଇଥିଲେ। ଏଥିରେ ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଦୃଶ୍ୟଶ୍ରାବ୍ୟ ଫଳକ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ଆସନ୍ତା ୨୭ରେ ଆଉ ଏକ ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମ ବ୍ରିଟ୍‌ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ହେବ। ବ୍ୟାଙ୍କ ଗ୍ରାହକ ଓ ଜନସାଧାରଣ ଏଥିରେ ଅଂଶଗ୍ରହଣ କରି ଏହାର ସୁଯୋଗ ନେବାକୁ ପରାମର୍ଶ ଦିଆଯାଇଥିଲା । ଜିଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ସୁଦୀପ ଡାକୁଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।