ଯୋଡ଼ା,୫ା୫(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଥିବା ସମୁଦାୟ ୯୦ଟି ଖଣି ମଧ୍ୟରୁ ୫୯ଟି ବନ୍ଦ ରହିଛି। ମାତ୍ର ୩୧ ଖଣି କାର୍ଯ୍ୟକ୍ଷମ ହେଉଥିବା ବେଳେ ବୈଧାନିକ କାରଣ ଯୋଗୁ ଅନେକ ଖଣି ଚାଲିପାରୁନାହିଁ। ଫଳରେ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ରାଜସ୍ବ ହରାଉଛନ୍ତି। ଏଥିସହ ଖଣି ପ୍ରିମିୟମ ପ୍ରଦାନରେ ଭିନ୍ନ ନିୟମ କାରଣରୁ ଖଣି ଓ ଶିଳ୍ପରେ ପ୍ରତିଦ୍ୱନ୍ଦ୍ୱିତା କମୁଛି। ଫଳରେ ନୂତନ ନିଲାମଧାରୀ କ୍ଷତି ସହୁଥିବା ଖଣି ବିଶାରଦମାନେ କହିଛନ୍ତି।
ଖଣି ବିଭାଗ ସୂଚନା ଅନୁଯାୟୀ, ବିଭିନ୍ନ ବୈଧାନିକ କାରଣ ଯଥା ଫରେଷ୍ଟ କଞ୍ଜରଭେଶନ ଆକ୍ଟ, ଏନଭାରମେଣ୍ଟ କ୍ଲିୟରାନ୍ସ, ଆଇବିଏମ୍(ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ )ପ୍ଲାନ ପ୍ରଭୃତିର ଅନୁମୋଦନ ବିଳମ୍ବ ହେତୁ ପ୍ରାୟ ୫୯ ଖଣି କେବଳ ଯୋଡ଼ା ଖଣି ମଣ୍ଡଳରେ ବନ୍ଦ ରହିଛି। ରାଜ୍ୟ ସରକାରଙ୍କ ପ୍ରସ୍ତାବ କ୍ରମେ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟରୁ ଏହି ସବୁ ଅନୁମୋଦନ ମିଳିଥାଏ। ରାଜ୍ୟ ଏବଂ କେନ୍ଦ୍ରର ସମନ୍ବୟ ଅଭାବ ଏବଂ ଲିଜ୍ଧାରୀମାନଙ୍କର ଅପାରଗତା ହେତୁ ଅନୁମୋଦନ ନ ପାଇ ଖଣିଗୁଡ଼ିକ ବନ୍ଦ ରହିଛି। ଅଧୁନା ଯୋଡ଼ା ଖଣି ମଣ୍ଡଳରେ କାର୍ଯ୍ୟକ୍ଷମ ଥିବା ୩୧ ଖଣି ମଧ୍ୟରୁ ନିଲାମ ମାଧ୍ୟମରେ ୧୦ଟି ଖଣି ନୂତନ ଭାବେ ୨୦୨୦ ପରେ ଲିଜଧାରୀ ପାଇଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ୮୭୪ ଲକ୍ଷ ୮୪ହଜାର ୨୮୬ .୧୯ମେଟ୍ରିକ ଟନ ଖଣିଜ ଉତ୍ତୋଳିତ ହୋଇଥିବା ବେଳେ ୭୧୮ ଲକ୍ଷ ୩୪ ହଜାର ୬୪୬.୭୮ମେଟ୍ରିକ ଟନ ଖଣିଜ ପରିବହନ ହୋଇଛି। ଏଥିରୁ ଆର୍ଥିକ ବର୍ଷରେ ୧୬ ହଜାର ୮୯୪ କୋଟି ରାଜସ୍ବ ମିଳିଛି। ତେବେ ୫୯ଟି ଖଣି ବନ୍ଦ ରହିଥିବାରୁ ରାଜ୍ୟ ସରକାରଙ୍କ ବ୍ୟାପକ ରାଜସ୍ବହାନି ହେଉଛି। ଜିଲା ଖଣିଜ ପାଣ୍ଠି ନିଅଣ୍ଟ ହେଉଛି। କେନ୍ଦ୍ର ସରକାରଙ୍କ ନ୍ୟାଶନାଲ ମିନେରାଲ୍ସ ଏକ୍ସପ୍ଲୋରେଶନ ଟ୍ରଷ୍ଟ (ଏନ୍ଏମ୍ଇଟି)ର ରାଜସ୍ବ ହ୍ରାସ ପାଉଛି। ଅପରପକ୍ଷରେ ନିଲାମ ମାଧ୍ୟମରେ ଲିଜ୍ ପାଇଥିବା ଲିଜ୍ଧାରୀମାନେ ଅଧିକ ପ୍ରିମିୟମ ଦେଇ ଖଣି ଚଳାଉଥିବା ବେଳେ ବହୁ ଖଣିର ଲିଜ୍ ସମୟ ବଳବତ୍ତର ଥିବାରୁ ସେମାନେ ପ୍ରିମିୟମ ଦେବାରୁ ବର୍ତ୍ତିଯାଉଛନ୍ତି। କେବଳ ରାଜସ୍ବ ଓ ଡିଏମ୍ଏଫ୍ ଦେଉଛନ୍ତି। ଫଳରେ ଇସ୍ପାତ ଶିଳ୍ପରେ ପ୍ରତିଦ୍ବନ୍ଦ୍ୱିତା ବ୍ୟବଧାନ ବଢ଼ୁଥିବାରୁ ଖଣି ଓ ଶିଳ୍ପ ରୁଗୁଣ ହେଉଛି। ୱାନ ନେଶନ ୱାନ ଟ୍ୟାକ୍ସ ନୀତି କେନ୍ଦ୍ର ସରକାର ଲାଗୁ କରିଥିବା ବେଳେ ରାଜସ୍ବ କ୍ଷେତ୍ରରେ ଏହାକୁ ଲାଗୁ କରାଗଲେ ଖଣି ଓ ଶିଳ୍ପ କ୍ଷେତ୍ରରେ ସ୍ବଚ୍ଛତା, ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ପ୍ରତିପାଦିତ ହେବ ବୋଲି ଇଣ୍ଡଷ୍ଟ୍ରିଜ୍ ଏବଂ ମାଇନିଂ ଅବଜରଭର ପତ୍ରିକାର ସମ୍ପାଦକ ଶିରିଶ ଚନ୍ଦ୍ର ମହାନ୍ତି କହିଛନ୍ତି।