ଦୁଇଦିନିଆ ମେଗା ଅକ୍ସନରେ ସାମିଲ ହେବେ ୫୯୦ ଖେଳାଳି

ବେଙ୍ଗାଲୁରୁ,୧୨ା୨: ବେଙ୍ଗାଲୁରୁଠାରେ ଶନିବାରଠାରୁ ଆରମ୍ଭ ହେବ ଦୁଇଦିନିଆ ନିଲାମ କ୍ରୀଡ଼ା ପ୍ରକ୍ରିୟା। ଏଥିରେ ୧୦ଟି ଦଳ ନିଜ ପସନ୍ଦ ମୁତାବକ ଖେଳାଳିଙ୍କୁ କିଣିବା ପାଇଁ ଚେଷ୍ଟା କରିବେ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସିଜନ-୧୫ ମେଗା ଅକ୍ସନରେ ସାମିଲ ହେବେ ୫୯୦ ଖେଳାଳି। ସେମାନଙ୍କ ମଧ୍ୟରେ ୨୨୭ ବିଦେଶୀ ଖେଳାଳି ରହିଛନ୍ତି ।
ଏପରିକି ବିସିସିଆଇ ନିଲାମରେ ସାମିଲ ହୋଇଥିବା ଖେଳାଳିଙ୍କ ନାମ ଜାରି କରିସାରିଛି। ତେବେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଶ୍ରେୟସ୍‌ ଆୟର, ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ଇଶାନ କିଷାନ ଓ ଅଲ୍‌ରାଉଣ୍ଡର ଶାର୍ଦ୍ଦୂଳ ଠାକୁରଙ୍କ ବେଶ ଚାହିଦା ରହିଛି । ଚଳିତ ମେଗା ନିଲାମ ପ୍ରକ୍ରିୟାରେ ୧୦ରୁ ଅଧିକ ଭାରତୀୟ ଖେଳାଳି ୧୦ କୋଟିରୁ ଊର୍ଦ୍ଧ୍ୱରେ ବିକ୍ରି ହୋଇପାରନ୍ତି ବୋଲି ଆକଳନ କରାଯାଉଛି। ସେହିପରି ବିଦେଶୀ ଖେଳାଳି ଡେଭିଡ ୱାର୍ନର, କ୍ୱିଣ୍ଟନ ଡି’କକ୍‌, ପ୍ୟାଟ କମିନ୍ସଙ୍କ ଭଳି ଖେଳାଳିଙ୍କ ଉପରେ ମଧ୍ୟ ଫ୍ରାଞ୍ଚାଇଜ୍‌ଙ୍କ ନଜର ରହିଛି।
ଏହି ମେଗା ନିଲାମରେ ଓଡ଼ିଶାର ୨ଜଣ ଖେଳାଳି ଶୁଭ୍ରାଂଶୁ ସେନାପତି ଏବଂ ଅଭିଷେକ ରାଉତ ସାମିଲ ହୋଇଛନ୍ତି । ଦୁଇ ଜଣଙ୍କ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ରହିଛି। ଓଡ଼ିଶାରୁ ମୋଟ ୫ ଖେଳାଳି ନିଲାମ ପାଇଁ ନାମ ରେଜିଷ୍ଟ୍ରେଶନ କରିଥିଲେ। ହେଲେ ଶୁଭ୍ରାଂଶୁ ଓ ଅଭିଷେକଙ୍କୁ ନିଲାମରେ ସାମିଲ କରିଛି ବିସିସିଆଇ।

Share