Categories: ଜାତୀୟ

୨ ସପ୍ତାହ ମଧ୍ୟରେ ମଲେଣି ୨୩: ବିମାନବନ୍ଦରରେ କରୋନା ପରୀକ୍ଷା ବାଧ୍ୟତାମୂଳକ କି ନୁହେଁ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: କରୋନାରେ ଗତ ୨ ସପ୍ତାହ ମଧ୍ୟରେ ୨୩ ଜଣଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟପକ୍ଷେ କୋଭିଡ୍‌-୧୯ର ଜେଏନ୍‌.୧ ସବ୍‌ଭାରିଆଣ୍ଟକୁ ନେଇ ଏବେ ଚିନ୍ତା ବଢ଼ିଥିବା ବେଳେ ଶୀତରେ ସଂକ୍ରମଣ ବଢ଼ିବା ଆଶଙ୍କା କରାଯାଉଛି। ଗୁରୁବାର ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ୫୯୪ ନୂଆ ମାମଲା ଚିହ୍ନଟ ହୋଇଛି। ସକ୍ରିୟ ମାମଲା ସଂଖ୍ୟା ୨,୬୬୯କୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଯାତାୟାତରେ କଟକଣା, ମାସ୍କକୁ ବାଧ୍ୟତାମୂଳକ କରିବା, କୋଭିଡ୍‌ ଟିକାର ତୃତୀୟ ଡୋଜଡ଼ ନେବା କିମ୍ବା ବିମାନବନ୍ଦରଗୁଡ଼ିକରେ ଟେଷ୍ଟିଂକୁ ବାଧ୍ୟତାମୂଳକ କରିବା ଯୋଜନା ଏବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଜେଏନ୍‌.୧ ଏକ ସବ୍‌ଭାରିଆଣ୍ଟ ହୋଇଥିବାରୁ ପୂର୍ବ ଭାରିଆଣ୍ଟ ତୁଳନାରେ ଏହା ଲୋକଙ୍କୁ ଗୁରୁତର କରାଇବା ସମ୍ଭାବନା କମ୍‌ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେବେ ଟାର୍ଗେଟ ଟେଷ୍ଟିଂକୁ ଗୁରୁତ୍ୱ ଦେବାକୁ କୁହାଯାଇଛି।

ଗତ ୨୪ ଘଣ୍ଟାରେ କେରଳରେ ୩ ମୃତ୍ୟୁକୁ ମିଶାଇ କୋଭିଡ୍‌ ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫,୩୩,୩୨୭ରେ ପହଞ୍ଚିଛି। ସେହିପରି କେରଳ, କର୍ନାଟକ, ଗୁଜରାଟ, ତାମିଲନାଡୁ ଓ ମହରାଷ୍ଟ୍ରରେ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ସମୀକ୍ଷା ବୈଠକରେ ସତର୍କ ଓ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଥିଲା।

ଭୂତାଣୁର ପ୍ରଭାବୀ ପରିଚାଳନାକୁ ନିଶ୍ଚିତ କରିବା ଲାଗି କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମିଳିତ ଉଦ୍ୟମ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆହ୍ବାନ ଦେଇଥିଲେ। ହସ୍ପିଟାଲଗୁଡ଼ିକର ପ୍ରସ୍ତୁତିକୁ ନେଇ କେନ୍ଦ୍ର ଓ ରାଜ୍ୟ ସ୍ତରରେ ପ୍ରତି ୩ ମାସରେ ମକ୍‌ ଡ୍ରିଲ୍‌ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

Share