Categories: ଫୁରସତ

କାର୍‌ କିଣିବା ନିଶା : ଜାଗୁଆର କିଣିବା ପାଇଁ ବାପା ମନା କରିବାରୁ କେନାଲ୍‌ରେ ବିଏମ୍‌ଡବ୍ଲ୍ୟୁ ଭସାଇଦେଲେ ଯୁବକ

ହରିୟାଣାର ଜଣେ ଯୁବକଙ୍କ ଅଜବ ନିଶା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବକ ଜଣକଙ୍କର କାର୍‌ କିଣିବାରେ ଭାରି ନିଶା। ଗୋଟିଏ ପରେ ଗୋଟିଏ ଦାମୀ କାର୍‌ କିଣି ତାକୁ ବିକି ଦେଇଥାନ୍ତି। ବଜାରକୁ ଆଉ ଏକ ନୂଆ ତଥା ଦାମୀ କାର୍‌ ଆସିଲେ ସେ ସଙ୍ଗେ ସଙ୍ଗେ କିଣିଥାନ୍ତି। କିନ୍ତୁ ପୁଅର ଏମିତି କାର୍ଯ୍ୟକଳାପରେ ମା’ବାପା ଅସନ୍ତୁଷ୍ଟ ଥିଲେ। ଯୁବକ ଜଣକ ଜାଗୁଆର କାର୍‌ କିଣିବା ପାଇଁ ଜିଦ୍‌ ଧରିଥିଲେ। ବାପା ମନା କରିଦେବାରୁ ପୂର୍ବରୁ ଥିବା ୪୫ ଲକ୍ଷ ଟଙ୍କାର ବିଏମ୍‌ଡବ୍ଲ୍ୟୁ କାର୍‌ଟିକୁ କେନାଲରେ ଭସାଇ ଦେଇଥିଲେ। ଏକ କାର୍‌ ଭାସି ଯାଉଥିବା ଦେଖି ପୋଲିସ ସମେତ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। କିନ୍ତୁ ଭିଡ଼ ଭିତରୁ ପୋଲିସ ନିକଟକୁ ଜଣେ ଯୁବକ ଚାଲିଆସି ଏହା ତାଙ୍କ କାର୍‌ ଆଉ ସେ ରିମୋଟ୍‌ ସାହାଯ୍ୟରେ ଏହାକୁ କେନାଲରେ ଭସାଇ ଦେଇଥିବା ସ୍ବୀକାର କରିଥିଲେ।

ହରିୟାଣାର ମୁକାମପୁର ନିବାସୀ ଆକାଶ ଗତ ୧୨ ଜୁନ୍‌ରେ ୪୫ ଲକ୍ଷ ଟଙ୍କା ଦେଇ ଏକ ବିଏମ୍‌ଡବ୍ଲ୍ୟୁ କାର୍‌ କିଣିଥିଲେ। ଏହାକୁ ବିକି ସେ ୮୦ ଲକ୍ଷ ଦାମ୍‌ର ଏକ ଜାଗୁଆର କିଣିବାକୁ ଚାହଁୁଥିଲେ। କିନ୍ତୁ ବାପା ମନା କରିବାରୁ ସେ ଏପରି କାଣ୍ଡ ଘଟାଇଥିଲେ। ଆକାଶ ଏହାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ତାଙ୍କର କାକା ପୁଅ ଭାଇ ଲଳିତ କୁହନ୍ତି, ସେ କାହାକୁ କିଛି ନ କହି ଘରୁ ବାହାରି ଯାଇଥିଲେ। ତାଙ୍କ ଭାଇଙ୍କର କାର୍‌ କିଣିବାରେ ଭାରି ସଉକ୍‌। ସେ ଗତ ଜୁନ୍‌ରେ ଫର୍‌ଚ୍ୟୁନର ବିକି ଏହି ବିଏମ୍‌ଡବ୍ଲ୍ୟୁଟି କିଣିଥିଲେ।

Share