Categories: ବାଣିଜ୍ୟ

ପ୍ରଥମ ତ୍ରୈମାସରେ ୫୯,୪୯୦ କୋଟିର ରାଜସ୍ବ

ଭୁବନେଶ୍ୱର,୨୮।୭:ଟାଟା ଷ୍ଟିଲ୍‌ ପକ୍ଷରୁ ୨୦୨୩ ଜୁନ୍‌ ୩୦ସୁଦ୍ଧା ଶେଷ ପ୍ରଥମ ତ୍ରୈମାସିକର ଆର୍ଥିକ ଫଳାଫଳକୁ ଘୋଷଣା କରାଯାଇଛି। ଏହି ତ୍ରୈମାସିକରେ କମ୍ପାନୀ ୫୯,୪୯୦ କୋଟି ଟଙ୍କାର ରାଜସ୍ବ ହାସଲ କରିଛି। ଏହି ସମୟରେ କମ୍ପାନୀର ଇବିଆଇଟିଡିଏ ୬,୧୨୨ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ମାର୍ଜିନ୍‌ ୧୦% ରହିଛି। ଟିକସ ପରବର୍ତ୍ତୀ ଲାଭ ୫୩୫ କୋଟି ଟଙ୍କା ରହିଛି। ବ୍ରିଟିଶ ଷ୍ଟିଲ୍‌ ପେନ୍‌ସନ ସ୍କିମ୍‌ ପ୍ରଭାବରେ ଲାଭ କିଛିଟା ପ୍ରଭାବିତ ହୋଇଛି। କିନ୍ତୁ ଏହା ଦ୍ୱାରା ଟାଟା ଷ୍ଟିଲ୍‌ ୟୁକେ ପ୍ରତି ରହିଥିବା ବିପଦ ଦୂର ହୋଇଛି। ଭାରତରେ କମ୍ପାନୀର ରାଜସ୍ବ ୩୪,୯୦୧ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ୭,୫୧୪ କୋଟି ଟଙ୍କା ହୋଇଛି। ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଟି. ଭି. ନରେନ୍ଦ୍ରନ କହିଛନ୍ତି, ବିଶ୍ୱ ଅର୍ଥନୈତିକ ସୁଧାରରେ ଅସ୍ଥିରତା ଲାଗି ରହିଥିଲା ଯାହାର ପ୍ରଭାବରେ ଇସ୍ପାତ ଭଳି ସାମଗ୍ରୀର ମୂଲ୍ୟ ପ୍ରଭାବିତ ହୋଇଥିଲା। ବିଶେଷକରି ଭାରତରେ ଇସ୍ପାତ ଚାହିଦା ବର୍ଷକୁ ବର୍ଷ ଭିତ୍ତିରେ ୧୦% ବଢ଼ିଥିଲା। ମାତ୍ର ବିଶ୍ୱ ବଜାର ପ୍ରଭାବ ଅନୁସାରେ ଇସ୍ପାତର ସ୍ପଟ୍‌ ମୂଲ୍ୟ ହ୍ରାସ ପାଇଥିଲା। ଭାରତରେ ଟାଟା ଷ୍ଟିଲ୍‌ର ଅଶୋଧିତ ଇସ୍ପାତ ଉପତ୍ାଦନ ୫ ନିୟୁତ ଟନ୍‌ ହୋଇଛି। ଦେଶ ଭିତରେ ଡେଲିଭରି ଏହି ସମୟରେ ୨୦%ରୁ ଅଧିକ ବୃଦ୍ଧି ପାଇଛି ଯାହା ଭାରତର ଇସ୍ପାତ ବ୍ୟବହାର ତୁଳନାରେ ଅଧିକ। ବ୍ରାଣ୍ଡେଡ୍‌ ଉପତ୍ାଦ ଓ ରିଟେଲ୍‌ ଏବଂ ଶିଳ୍ପ ଉପତ୍ାଦ ଓ ପ୍ରକଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଯଥାକ୍ରମେ ୩୭% ଓ ୨୪% ଭଳି ଦୃଢ଼ ରହିଛି।

Share