Advertisement

୫-ଟି ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନାହାନ୍ତି

ନାଉଗାଁ,୧୬ା୩ (ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ଗଳଦାରୀ ପଞ୍ଚାୟତରେ ରହିଛି ପଞ୍ଚାୟତିରାଜ ସରକାରୀ ଉଚ୍ଚ ବିଦ୍ୟାଳୟ ଏରେଡ଼ା। ଏହି ବିଦ୍ୟାଳୟଟିକୁ ସରସ, ସୁନ୍ଦର କରିବା ସହ ଅତ୍ୟାଧୁନିକ ଶୈଳୀରେ ଶ୍ରେଣୀ ଗୃହ ଓ ପାଠ ପଢା ଶୈଳୀକୁ ପରିବର୍ତ୍ତନ କରିବାକୁ ସରକାରଙ୍କର ୫-ଟି ବିଦ୍ୟାଳୟ ରୂପାନ୍ତିକରଣ କରାଯାଇଛି। ଏହି ଯୋଜନାରେ ବିଦ୍ୟାଳୟରେ ଲକ୍ଷାଧିକ ଟଙ୍କା ସରକାରଙ୍କ ପକ୍ଷରୁ ଖର୍ଚ୍ଚ ହୋଇଛି। ବିଦ୍ୟାଳୟକୁ ପିଲା ଆସୁଛନ୍ତି ସତ ଆବଶ୍ୟକ ଶିକ୍ଷକ ନ ଥିବାରୁ ପାଠ ପଢାରେ ବାଧା ଉପୁଜୁଥିବା ଅଭିଯୋଗ ହେଉଛି।
ସୂଚନା ମୁତାବକ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୬୮ ଜଣ ଛାତ୍ରୀଛାତ୍ର ରହିଛନ୍ତି। ୮ଟି ଶ୍ରେଣୀକୁ ୩ ଜଣ ଶିକ୍ଷକ ରହିଛନ୍ତି। ବିଦ୍ୟାଳୟର ପରିୟଡ଼ ଅନୁସାରେ ୩ଟି ଶ୍ରେଣୀ ଗୃହରେ ପାଠ ପଢା ସମୟରେ ଅନ୍ୟ ୫ଟି ଶ୍ରେଣୀର ପିଲାଙ୍କର ପାଠ ପଢା ବନ୍ଦ ରହିଥାଏ। ଏପରି କି ପରୀକ୍ଷା ପୂର୍ବରୁ ଅଧିକାଂଶ ବିଷୟ ପଢାଇବା ସମ୍ଭବ ହୋଇ ନ ଥାଏ। କେବଳ ସେତିକି ନୁହେଁ ପ୍ରଧାନ ଶିକ୍ଷକ ବିଦ୍ୟାଳୟର କୌଣସି କାର୍ଯ୍ୟରେ ବ୍ଲକ କିମ୍ବା ଜିଲା କାର୍ଯ୍ୟାଳୟ ଗଲେ ବିଦ୍ୟାଳୟରେ ରୁହନ୍ତି ୨ ଜଣ ଶିକ୍ଷକ। ସେହିପରି ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ଅନ୍ୟ ଶିକ୍ଷକମାନଙ୍କର କୌଣସି ଜରୁରୀ କାମ ପଡ଼ଲେ ଛୁଟିରେ ରହିବା ମଧ୍ୟ କଷ୍ଟ ସାଧ୍ୟ ଅଟେ ବୋଲି ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ରାଉତ କହିଛନ୍ତି। ଆବଶ୍ୟକ ଶିକ୍ଷକ ନ ଥିବାରୁ ପିଲାଙ୍କ ପାଠ ପଢ଼ାରେ ଏକ ପ୍ରକାର ସମସ୍ୟା ଉପୁଜୁଛି। ଏ ବିଷୟରେ ବାରମ୍ବାର ଉଚ୍ଚ ପଦସ୍ଥ ଶିକ୍ଷାଅଧିକାରୀଙ୍କୁ ଅବଗତ କରାଯାଇଥିବା କହିଛନ୍ତି। ସେହିପରି କୋରୁଅ ପଞ୍ଚାୟତରେ ରହିଛି ବାଲି- ମଝିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ୬୦ ଜଣ ପିଲା ପଢୁଛନ୍ତି। ୭ଟି ଶ୍ରେଣୀକୁ ମାତ୍ର ୨ଜଣ ଶିକ୍ଷକ ରହିଛନ୍ତି। ପ୍ରଧାନ ଶିକ୍ଷକଙ୍କ ସହ ଜଣେ ସହକାରୀ ଶିକ୍ଷକ ରହିଛନ୍ତି। ଶିକ୍ଷକ ନ ଥିବାରୁ ପିଲାମାନଙ୍କ ପାଠ ପଢାରେ ବାଧା ସୃଷ୍ଟି ହେଉଛି। ଏଥିସହ ବିଦ୍ୟାଳୟ କାର୍ଯ୍ୟରେ ମଧ୍ୟ ସମସ୍ୟା ଉପୁଜୁଥିବା ପ୍ରଧାନ ଶିକ୍ଷକ ବିଜ୍ଞାନ ଭୂଷଣ ପରିଡା କହିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅକ୍ଷୟ ବେହେରାଙ୍କୁ ପଚାରିବାରେ ବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରୋସେସିଂ ଚାଲିଛି ବୋଲି ମତବ୍ୟକ୍ତ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share