ନକଲି ସାର୍ଟିଫିକେଟରେ ୬ ଆବେଦନକାରୀ, ବଲାଙ୍ଗୀର ଲିଙ୍କ୍‌ ସନ୍ଦେହ

ସମ୍ବଲପୁର,୮ା୪(ବ୍ୟୁରୋ): ସମ୍ବଲପୁର ଜିଲାରେ ନକଲି ସାର୍ଟିଫିକେଟ ଦେଇ ପୋଷ୍ଟାଲ ବିଭାଗରେ ଚାକିରି କରିବା ପାଇଁ ଆବେଦନ କରି ୬ଜଣ ଧରାପଡ଼ିଛନ୍ତି। ସେମାନଙ୍କ ନାମରେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ସେମାନେ ହେଲେ ଭଦ୍ରକ ଜିଲା ଭଣ୍ଡାରୀପୋଖରୀର ସୋନାଲି ସ୍ବାଇଁ, ଜଗତସିଂହପୁର ଜିଲା ଅନୈଙ୍କା ଗ୍ରାମର ଜ୍ୟୋତିକାନ୍ତ ମହାନ୍ତି, ବରଗଡ଼ ଜିଲା ଭଲପାଲି ଗ୍ରାମର ରୁଦ୍ରାଣି ପ୍ରଧାନ, ଗଣେଶନଗରର ଜୟଶ୍ରୀ ସାହା, କଳାହାଣ୍ଡି ଜିଲା କେସିଙ୍ଗା ଥାନା କୁଣ୍ଡାବନ୍ଧ ଗ୍ରାମର ସୁରମଣି ମିଶ୍ର ଓ ଦେବଗଡ଼ ଜିଲା ତିଲେଇବଣି ଥାନା ପ୍ରଭାଶୁନି ଗ୍ରାମର ଝିଲି ସାହୁ। ସମ୍ବଲପୁର ଡାକ ମଣ୍ଡଳ ପକ୍ଷରୁ ଏ ନେଇ ଗତ ୨୫ତାରିଖରେ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ଏପ୍ରିଲ ୭ରେ ଥାନାରେ ମାମଲା ରୁଜୁ କରିଛି। ପୋଲିସ ୩ଟି ଟିମ୍‌ ଗଠନ କରି ଅଭିଯୁକ୍ତ ଆବେଦନକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଏଥିରେ ବଲାଙ୍ଗୀର ଜିଲା ନକଲି ସାର୍ଟିଫିକେଟ ଗ୍ୟାଙ୍ଗର ଲିଙ୍କ୍‌ ଥିବା ସନ୍ଦେହ କରାଯାଉଛି। ଲିଙ୍କ୍‌ ଥିବା ଜଣାପଡ଼ିିଲେ ଏହି ମାମଲା କ୍ରାଇମବ୍ରାଞ୍ଚ ତଦନ୍ତ କରିପାରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ମିଳିଥିବା ସୂଚନାନୁସାରେ, ସମ୍ବଲପୁର ଡାକ ଡିଭିଜନର ମୋଟ ୯୬ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାର୍ଚ୍ଚ ୨୦ ଓ ୨୧ରେ ସାର୍ଟିଫିକେଟ ଯାଞ୍ଚ ସମୟରେ ଉପରୋକ୍ତ ୬ଜଣଙ୍କ ପ୍ରମାଣପତ୍ର ସନ୍ଦେହ ଘେରକୁ ଆସିଥିଲା। ଆବେଦନ କରିଥିବା ଏହି ୬ଜଣ ଆଶାୟୀଙ୍କ ସାର୍ଟିଫିକେଟ ଉତ୍ତରପ୍ରଦେଶ ବୋର୍ଡର ରହିଛି। ଓଡ଼ିଆର କୌଣସି ବିଷୟ ନ ଥିବାବେଳେ ସମସ୍ତଙ୍କ ମାର୍କ ପ୍ରାୟ ସମାନ ରହିଛି।

Share