ଓପିଟିସିଏଲର ଲୁହା ଆଙ୍ଗେଲ ଚୋରି ମାମଲାରେ ୬ ଗିରଫ

ଜୟପୁର, ୧୬।୯ (ନି.ପ୍ର.): ଓପିଟିସିଏଲର ଲୁହା ଆଙ୍ଗେଲ ଚୋରି ମାମଲାରେ ଜୟପୁର ସଦର ପୋଲିସ ଗୁରୁବାର ମୁଖ୍ୟ ଅଭିଯୁକ୍ତଙ୍କ ସହ ଚୋରି ସାମଗ୍ରୀର କ୍ରେତା ଓ ଚୋରି ସାମଗ୍ରୀ ଚାଲାଣ କରୁଥିବା ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନନ୍ଦଗୁଡାର ହରି ବେନିଆ ଓ ଧନ ପତି ହରିଜିନ, ହାନାଗୁଡାର ସମିର ଭତ୍ରା, ଜୟପୁର ମେଦ୍ରିସାହିର ଦୁର୍ଗା ପ୍ରସାଦ ଦାସ, ଏସକେ ରାମଜାନ, ଏସକେ ମୁରାଲାମ। ଜୟପୁର ଜୟନଗର ଗ୍ରୀଡ ଓ ନନ୍ଦଗୁଡାଠାରେ ଆଙ୍ଗେଲ ଓ ଲୁହା ସମଗ୍ରୀ ଚୋରି ହୋଇଥିବା ନେଇ ସଦର ଥାନାରେ ଓପିଟିସିଏଲ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ନନ୍ଦଗୁଡାର ହରି ଓ ଧନପତି ଓପିଟିସିଏଲରର ଆଙ୍ଗେଲ ଲୁହା ସାମଗ୍ରୀ ଚୋରି କରିଥିବା ଏବଂ ଏହାକୁ ସମିର ଓ ଦୁର୍ଗା ପ୍ରସାଦ ଚାଲାଣ କରି ଜୟପୁରର ୨ଜଣ ବ୍ୟବସାୟୀଙ୍କୁ ବିକ୍ରି କରୁଥିବା ଜାଣିବାକୁ ପାଇଥିଲା। ପରେ ଏନେଇ ପୋଲିସ ଚଢାଉ କରି ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରି ଚୋରି ସମଗ୍ରୀ ଜବତ କରିଥିଲା। ୨ ବ୍ୟବସାୟୀ ବାରମ୍ବାର ଚୋରି ସମଗ୍ରୀ କୁଣୁଥିବାରୁ ପୋଲିସ ବ୍ୟବସାୟୀ ଏସକେ ରାମଜାନ ଓ ଏସକେ ମୁରାଲାମଙ୍କୁ ଗିରଫ କରି ଚୋରି ସମଗ୍ରୀ ପରିବହନରେ ବ୍ୟବହୃତ ଅଟୋ ରିକ୍ସା ଓ ଟାଟା ଏସିଇ ଗାଡିକୁ ଜବତ କରିଥିବା ଥାନା ଅଧିକାରୀ ଈଶ୍ୱର ତାଣ୍ଡିଙ୍କ ଉପସ୍ଥିତିରେ ଏସ୍‌ଡିପିଓ ଅରୁପ ଅଭିଷେକ ବେହେରା ସୂଚନା ଦେଇଛନ୍ତି।