ବନପାଳଙ୍କ ସମେତ ୬ ଗିରଫ

ବାରିପଦା ଅଫିସ,୧୬ା୫: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ବଡ଼ଝାଡ଼ ଅଞ୍ଚଳରେ ବଜ୍ରକାପ୍ତା କାତି ବିକ୍ରି ପାଇଁ ଡିଲ୍‌ ସମୟରେ ପୋଲିସ ଚଢ଼ାଉ କରି ୬ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲା ନୀଳଗିରି ରେଞ୍ଜ ଅଯୋଧ୍ୟା ଅଞ୍ଚଳର ବନପାଳ ରାମଚନ୍ଦ୍ର ମାରାଣ୍ଡି ରହିଛନ୍ତି। ସେହିପରି ଦେଉଳି ଗ୍ରାମର ସନ୍ତୋଷ ସିଂ, ଭଣ୍ଡାରୀପାଳ ଗ୍ରାମର ସାହେବ ମାରାଣ୍ଡି, ଜେଏସକାମୁଡିବନ୍ଧ ପଞ୍ଚାୟତର ବିଶେଶ୍ୱର ମାରାଣ୍ଡି, ବାରିପଦାର ଡଙ୍ଗୀରିସାହି ଅଞ୍ଚଳର ରମେଶ ଚନ୍ଦ୍ର ସିଂ, ବେତନଟୀ ଛୋଟରାୟପୁର ଅଞ୍ଚଳର ଗଗନ ବେହେରାଙ୍କୁ ଗିରଫ କରାଯାଇ ପଚରାଉଚରା ଜାରି ରହିଛି। ସୋମବାର ସାରେ ଥାନା ଅଧିକାରୀ ବିକ୍ରମ କେଶରୀ ଜେନାଙ୍କ ନେତୃତ୍ୱରେ ଏକ ଟିମ୍‌ ଦେବଳା ପଞ୍ଚାୟତ ଶାଣଦେଇ-ସମୀବୃକ୍ଷ ରାସ୍ତାର ବଡ଼ଝାଡ଼ ଅଞ୍ଚଳରେ ବଜ୍ରକାପ୍ତା କାତି ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ଖବରପାଇ ଚଢ଼ାଉ କରିଥିଲା। ବନପାଳ ରାମଚନ୍ଦ୍ର ମାରାଣ୍ଡି ୫ ଲକ୍ଷ ଟଙ୍କାରେ ବିକ୍ରି ନିମନ୍ତେ ଡ଼ିଲ କରୁଥିବା ବେଳେ ପୋଲିସ ତାଙ୍କୁ ମାଡ଼ି ବସିଥିଲା। ତେବେ ଅଖା ମଧ୍ୟରେ ମୃତ ବଜ୍ରକାପ୍ତାର ସମ୍ପୂର୍ଣ୍ଣ ଖୋଳପା ରହିଥିଲା। ଜବତ ଖୋଳପାରୁ ବଜ୍ରକାପ୍ତାଟି ୩ରୁ ୪ ବର୍ଷର ହୋଇଥିବା ବେଳେ ଜବତ ଖୋଳପାର ଓଜନ ୨ କିଲୋ ୧୩୫ ଗ୍ରାମ ବୋଲି ଜଣାପଡ଼ିଛି। ପୋଲିସ ଏହି ଘଟଣାକୁ କପ୍ତିପଦା ବନାଞ୍ଚଳକୁ ହସ୍ତାନ୍ତର କରିଛି। ତେବେ ଏହି ବଜ୍ରକାପ୍ତା କେଉଁଠୁ ଆସିଲା ଏବଂ ଏହାକୁ ଶିକାର କରିଥିବା ସମ୍ପର୍କରେ ଖୋଳତାଡ ଜାରି ରହିଛି। ଗିରଫ ବନପାଳଙ୍କ ସମେତ ଅନ୍ୟ ବନ କର୍ମଚାରୀ ଏହି ଘଟଣାରେ ଜଡିତ ଥିବା ନେଇ ତଦନ୍ତ ଚାଲିଛି। ଏହି ଚଢ଼ାଉରେ ପୋଲିସ ୨ଟି ବାଇକ୍‌ ଏବଂ ଗୋଟିଏ ସ୍କୁଟି ଜବତ କରିଛି। ସମ୍ପୃକ୍ତ ବନପାଳଙ୍କ ଆଇକାର୍ଡ ଜବତ କରିବା ସହିତ ୬ଟି ମୋବାଇଲ ମଧ୍ୟ ଜବତ ହୋଇଛି।