ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୬ା୬: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ ନିଖୋଜ ଘଟଣାକୁ ନେଇ ତୁମ୍ବିତୋଫାନ ଚାଲିଥିବା ବେଳେ ପୋଲିସ ସୋମବାର ସନ୍ଧ୍ୟାରେ ଏହି ରହସ୍ୟ ଉପରୁ ପରଦା ହଟାଇଛି। ଲୋକମାନଙ୍କ ସହାନୁଭୂତି ପାଇବା ପାଇଁ ଅଜିତ୍ ଏବଂ ତାଙ୍କ ସହଯୋଗୀ ଏହି ଅପହରଣ ନାଟକ ରଚି ନିଜେ ଫସିଛନ୍ତି। ଏଥିରେ ଆଉ ୩ ଜଣ ସହାୟତା କରିଛନ୍ତି। ସମସ୍ତଙ୍କୁ ଗିରଫ କରାଯାଇଥିବା ଫିରିଙ୍ଗିଆ ଥାନାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସଦର ଏସ୍ଡିପିଓ ସୁପ୍ରସନ୍ନ ମଲ୍ଲିକ ପ୍ରକାଶ କରିଛନ୍ତି। ଗିରଫ ଯୁବକମାନେ ହେଲେ ବ୍ଲକ ଉପାଧ୍ୟକ୍ଷ ଅଜିତ୍ ସାହୁ, ରତଙ୍ଗ ସମିତି ସଭ୍ୟ ବିରଞ୍ଚତ୍ ମଲିକ, ବସନ୍ତ ମଲ୍ଲିକ, ବୌଦ୍ଧ ଜିଲାର ଅଜିତ୍ ରଣା, ତ୍ରିଲୋଚନ ଝାଙ୍କର ଓ ଯୁକ୍ତେଶ୍ୱର ରଣା। ସେମାନଙ୍କ ପାଖରୁ କାର ଓ ବାଇକ୍ ଜବତ କରାଯାଇଛି।
ଉଭୟ କଥାବାର୍ତ୍ତା ହୋଇ ଏକ ନାଟକ ରଚିଥିଲେ। ମାଓବାଦୀ ସେମାନଙ୍କୁ ଅପହରଣ କରିଥିବା ନେଇ ଗଣମାଧ୍ୟମରେ ପ୍ରଚାର ହେବା ପରେ ସେମାନଙ୍କ ପ୍ରତି ଜନସମର୍ଥନ ବଢ଼ିବ। ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକ ଘଟଣାର ତଦନ୍ତ କରି ସମସ୍ତଙ୍କୁ ଧରିଥିଲେ। ସରକାରୀ କର୍ମଚାରୀଙ୍କୁ ଭୁଲ୍ ଖବର ଦେବା, ଜଣକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରବର୍ତ୍ତାଇବା, ଲୋକଙ୍କୁ ଭୟଭୀତ କରିବା ଅଭିଯୋଗରେ ସେମାନଙ୍କ ନାମରେ ନଂ.୯୦/୨୩ରେ ଏକ ମାମଲା ରୁଜୁ ହୋଇଛି।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ରାତିରେ ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ୍ ଜାଜେଶପାଙ୍ଗା ଗ୍ରାମକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ନିଖୋଜ ହୋଇଯାଇଥିଲେ। ଏ ନେଇ ବିରଞ୍ଚତ୍ ଏବଂ ବସନ୍ତ ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲେ।