Categories: ଜାତୀୟ

ହାଥରସ୍‌ ସତ୍‌ସଙ୍ଗ ଦଳାଚକଟା ମାମଲା: ୬ ଗିରଫ

ହାଥରସ୍‌,୪ା୭: ଉତ୍ତରପ୍ରଦେଶର ହାଥରସ୍‌ରେ ଘଟିଥିବା ଦଳାଚକଟା ମାମଲାରେ ଆୟୋଜନକାରୀ କମିଟିର ୬ ଜଣଙ୍କୁ ଗୁରୁବାର ଗିରଫ କରିଛି ପୋଲିସ। ଦଳାଚକଟା ଘଟଣାର ୭୨ ଘଣ୍ଟା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୬ ଜଣ ଗିରଫ ହୋଇଥିଲେ ବି ମୁଖ୍ୟ ଅଭିଯୁକ୍ତ ଭୋଲେ ବାବା ଚମ୍ପଟ ମାରିଛନ୍ତି।

ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଅଲିଗଡ଼ ଆଇଜି ଶଲଭ ମାଥୁର କହିଛନ୍ତି, ଏହି ଘଟଣାରେ ୪ ଜଣ ପୁରୁଷ ଏବଂ ଦୁଇ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ସମସ୍ତେ ଆୟୋଜକ କମିଟିର ସଦସ୍ୟ ଏବଂ ‘ସେବକ’ ଭାବରେ କାର୍ଯ୍ୟ କରୁଥିଲେ। ଦଳାଚକଟା ପରେ  ଏହି ଲୋକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ସେ କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ପ୍ରକାଶ ମଧୁକରଙ୍କ ଗିରଫଦାରୀଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଖୁବ୍‌ଶୀଘ୍ର ତାଙ୍କ ବିରୋଧରେ ଜାମିନ ବିହୀନ ଓ୍ବାରେଣ୍ଟ ଜାରି କରାଯିବ। ଏହି ଘଟଣା କୌଣସି ଷଡ଼ଯନ୍ତ୍ରର ଅଂଶ ଭାବରେ ଘଟିଛି କି ନାହିଁ ଆମେ ମଧ୍ୟ ଅନୁସନ୍ଧାନ କରିବୁ।

ସେ କହିଛନ୍ତି, ଯଦି ଆବଶ୍ୟକ ହୁଏ, ନାରାୟଣ ସାକର ଛଦ୍ମନାମ ଭୋଲେ ବାବାଙ୍କୁ ପଚରାଉଚରା କରାଯିବ। ଭୋଲେ ବାବାଙ୍କ ନାମରେ ଏଫ୍‌ଆଇଆର୍‌ ନାହିଁ। ଦାୟିତ୍ୱ ସଂଗଠକଙ୍କ ଉପରେ ଅଛି। ସଂଗଠକଙ୍କ ନାମରେ ଏଫ୍‌ଆଇଆର୍‌ ରହିଛି। ଯେଉଁ ସେବକମାନେ ଭିଡ଼ ରୋକିବାରେ ପୋଲିସ ସହ ସହଯୋଗ କରି ନ ଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଏହି ଘଟଣାରେ ଆୟୋଜକଙ୍କ ଅବହେଳା ସାମ୍ନାକୁ ଆସିଛି। ଏହା ପଛରେ ଏକ ଷଡ଼ଯନ୍ତ୍ର ଥିବା ମଧ୍ୟ କୁହାଯାଉଛି। ଲୋକମାନେ ସତ୍‌ସଙ୍ଗରେ ଦଳାଚକଟାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ପ୍ରଥମେ ଏହି ଘଟଣାକୁ ଲୁଚାଇବାକୁ ଚେଷ୍ଟା କରାଯାଇଥିଲା।

Share