ଯୋଡ଼ାରେ ମୁଣ୍ଡ ଟେକିଲାଣି ମ୍ୟାଲେରିଆ, ୩ ଦିନରେ ୬ ଆକ୍ରାନ୍ତ

କେନ୍ଦୁଝର,୧୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଏକଦା ମ୍ୟାଲେରିଆରେ ଆକ୍ରାନ୍ତ ଓ ମୃତ୍ୟୁକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ମ୍ୟାଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ବିଭିନ୍ନ ପ୍ରକାରର ସଚେତନତା ଓ ନିରାକରଣ କାର୍ଯ୍ୟକ୍ରମ ଆୟୋଜନ ପରେ ନିୟନ୍ତ୍ରଣ ହୋଇଥିଲା। ଏବେ ପୁଣି ଜିଲାରେ ମ୍ୟାଲେରିଆ ଆକ୍ରାନ୍ତ ଘଟଣା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି। ଗତ ମାସ ଜିଲାରେ ସମୁଦାୟ ୯ ପଜିଟିଭ୍‌ ବାହାରିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ ଚଳିତ ମାସ ଯୋଡ଼ା ଅଞ୍ଚଳରେ ତିନି ଦିନରେ ଛଅ ଜଣ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ଯୋଡ଼ା ଅଞ୍ଚଳରେ ଡେଙ୍ଗୁ ବ୍ୟାପୁଥିବା ନେଇ କିଛି ମାସ ତଳେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏବେ ମ୍ୟାଲେରିଆ ବ୍ୟାପୁଥିବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଏ ନେଇ ସିଡିଏମ୍‌ଓ କେନ୍ଦୁଝର ଡାକ୍ତର କିଶୋର ଚନ୍ଦ୍ର ପୃଷ୍ଟି କହିଛନ୍ତି, ସମଗ୍ର ଜିଲାରେ ଗତ ମାସରେ ୯ ଜଣ ମ୍ୟାଲେରିଆ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ତେବେ ଯୋଡ଼ା ଅଞ୍ଚଳରେ ଏବେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ଆସିଥିଲା। ଏହାର ସତ୍ୟତା ଯାଞ୍ଚ ପରେ ଜଣାପଡ଼ିବ। ରିପୋର୍ଟ ମିଳିବା ପରେ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ସହିତ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରାଯିବ।