ନୂଆଦିଲ୍ଲୀ,୨୮।୫: ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ କିଛି ଦିନ ତଳେ ମହିଳା ଚିତା ‘ଜ୍ୱାଲା’ ୪ ଟି ଛୁଆ ଜନ୍ମ କରିଥିଲା। ଗୁରୁବାର ୨ ଚିତା ଶାବକଙ୍କ ମୃତ୍ୟୁ ଘଟିଥିବା ବେଳେ ପୂର୍ବରୁ ଆଉ ଏକ ଚିତା ଶାବକର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଅନ୍ୟ ଏକ ଛୁଆର ଅବସ୍ଥା ଗୁରୁତର ରହିଛି, ତାକୁ ନଜରରେ ରଖାଯାଇଛି। ଏହି ତିନୋଟି ଛୁଆର ମୃତ୍ୟୁକୁ ମିଶାଇ ଆଫ୍ରିକୀୟ ଦେଶରୁ ଭାରତକୁ ଆସିଥିବା ମୋଟ ୬ଟି ଚିତା ଗତ ୨ ମାସ ମଧ୍ୟରେ ମୃତ୍ୟୁ ହୋଇଛି। ପ୍ରଥମେ ୩ ଚିତାଙ୍କର ଅଲଗା ଅଲଗା କାରଣରୁ ମୃତ୍ୟୁ ଘଟିଥିଲା। ତେବେ ତିନି ଶାବକଙ୍କ ମୃତ୍ୟୁ ଗରମ ଯୋଗୁ ହୋଇଥିବା କୁହାଯାଉଛି। କୁନୋ ଜାତୀୟ ଉଦ୍ୟାନ ଦ୍ୱାରା ଜାରି ହୋଇଥିବା ପ୍ରେସ ନୋଟ ଅନୁଯାୟୀ, ମେ ୨୩ ସବୁଠାରୁ ଉତ୍ତପ୍ତ ଦିନ ଥିଲା। ଦିନ ଗଡିବା ସହିତ ଉତ୍ତାପ ବୃଦ୍ଧି ପାଇଲା ଏବଂ ତାପମାତ୍ରା ୪୭ ଡିଗ୍ରୀ ସେଲସିୟସରେ ପହଞ୍ଚିଲା । ସେବେଠୁ ଚିତା ଶାବକଙ୍କ ସ୍ବାସ୍ଥ୍ୟ ଖରାପ ହେବାକୁ ଲାଗିଲା। ଅନ୍ୟପଟେ, ଅସୁସ୍ଥ ଥିବା ଶାବକଟିର ଚିକିତ୍ସା କରାଯାଉଛି। ଗତ ଦୁଇ ଦିନ ତୁଳନାରେ ତାଙ୍କ ଅବସ୍ଥାରେ ଉନ୍ନତି ଘଟିଛି। ଏହା ମଧ୍ୟ କୁହାଯାଇଥିଲା ଯେ ଜ୍ୱାଲାର ସମସ୍ତ ଛୁଆ ବହୁତ ଦୁର୍ବଳ ଭାବରେ ଜନ୍ମ ହୋଇଥିଲେ।