Categories: ଜାତୀୟ

୬ ମୁଖ୍ୟମନ୍ତ୍ରୀ ଯୋଗାଇ ଦେଉଛନ୍ତି ଫଣ୍ଡିଂ, ପିକେଙ୍କ ବିବାଦୀୟ ମନ୍ତବ୍ୟ…

ପାଟନା,୨୭।୧୦ : ଜନ ସୁରାଜ ଯାତ୍ରାରେ ଥିବା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର (ପିକେ)କ୍ରମାଗତ ଭାବରେ ବିବାଦୀୟ ମନ୍ତବ୍ୟ ଦେବା ଜାରି ରଖିଛନ୍ତି। ଏହାକୁ ନେଇ ବିହାରର ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ପ୍ରଶାନ୍ତ କିଶୋର ଗତ୨୫ ଦିନ ଧରି ଜନ ସୁରାଜ ଯାତ୍ରାରେ ଅଛନ୍ତି। ଅକ୍ଟୋବର ୨ ରେ, ପ୍ରଶାନ୍ତ କିଶୋର ଏହି ଯାତ୍ରା ଆରମ୍ଭ କରିଥିଲେ । ସେ ଯାତ୍ରା ରାଜ୍ୟର ସମସ୍ତ ପଞ୍ଚାୟତ ପରିଦର୍ଶନ କରୁଛନ୍ତି।

ଏହି ଯାତ୍ରାରେ ଖର୍ଚ୍ଚ ହେଉଥିବା ଟଙ୍କା କିଏ ଦେଉଛନ୍ତି ବୋଲି ଏକ ପ୍ରଶ୍ନର ଉତ୍ତରରେ ପିକେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ସେ କହିଛନ୍ତି ଯେ ଜନ ସୁରରଜ ଯାତ୍ରାରେ ଦେଶର ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କୁ ସାହାଯ୍ୟ କରୁଛନ୍ତି। ସେମାନେ ଏଥିପାଇଁ ଆବଶ୍ୟକ ଫଣ୍ଡିଂ ଯୋଗାଇ ଦେଉଛନ୍ତି।

ପ୍ରଶାନ୍ତ କିଶୋର କହିଛନ୍ତି ଯେ ସେ କୌଣସି ବଡ ଷ୍ଟେଜ, ବଡ ରାଲି କିମ୍ବା ହେଲିକପ୍ଟରରେ ଖର୍ଚ୍ଚ କରୁନାହାଁନ୍ତି। କିନ୍ତୁ ସେ ଯେଉଁ ସିଷ୍ଟମରେ ଏହା ଚଳାଉଛନ୍ତି ସେଥିରେ କିଛି ଖର୍ଚ୍ଚ ମଧ୍ୟ କରାଯାଉଛି। ଏଥିପାଇଁ ଦେଶର ୬ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କୁ ସାହାଯ୍ୟ କରୁଛନ୍ତି। ପ୍ରଶାନ୍ତ କିଶୋର କହିଛନ୍ତି ଯେ ଏହି ଟଙ୍କା ମାତା ସରସ୍ବତୀ ପ୍ରଦାନ କରୁଛନ୍ତି। ସେ କହିଛନ୍ତି ମୁଁ ୧୦ ବର୍ଷ ଧରି କାମ କରୁଛି। ଏହି ସମୟ ମଧ୍ୟରେ ମୁଁ ୧୧ ଟି ନିର୍ବାଚନରେ କାର୍ଯ୍ୟ କରଛି। ଏପରି ୬ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି ଯେଉଁମାନଙ୍କ ପାଇଁ ମୁଁ କାମ କରିଥିଲି। ମୋ ସହଯୋଗରେ ସେମାନେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏବେ ସେମାନେ ମତେ ଫଣ୍ଡିଂ କରୁଛନ୍ତି।

ପିକେ କହିଛନ୍ତି ଯେ ସେ କେବେବି କାହାଠାରୁ ଟଙ୍କା ମାଗିନାହାନ୍ତି। ଆଜି ଯେତେବେଳେ ସେ ବିହାରର ଜନ ସୁରାଜ ଯାତ୍ରାରେ ବାହାରିଛନ୍ତି, ସେତେବେଳେ ସେହି ମୁଖ୍ୟମନ୍ତ୍ରୀମାନେ ସହାୟତାର ହାତ ବଢ଼ାଇ ଦେଇଛନ୍ତି।

Share