ଧରାପଡ଼ିଲେ ୬ ଶିକାରୀ: ପିସ୍ତଲ, ଭାଲୁ ନଖ ଜବତ

ବରଗଡ଼,୧୫।୯(ପ୍ରେମାନନ୍ଦ ଖମାରୀ): ବନ୍ୟପ୍ରାଣୀଙ୍କ ବେଆଇନ କରବାର କରୁଥିବା ଅଭିଯୋଗରେ ବରଗଡ଼ ବନ ବିଭାଗ ଭଟଲି ଫରେଷ୍ଟ ରେଞ୍ଜ କର୍ମଚାରୀ ଶୁକ୍ରବାର ୬ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି । ସେମାନେ ହେଲେ ବାଲେଶ୍ବର ଜିଲା ଚାନ୍ଦିପୁରର ମନୋରଞ୍ଜନ ନନ୍ଦ(୨୪), ସଞ୍ଜୟ ଦାଶ(୩୮), ବରଗଡ଼ ଜିଲା ବରପାଲି ଥାନା ଧିରପୁରର ବ୍ୟାସଦେବ ମହାରଣା(୩୬), ମହାରାଷ୍ଟ୍ର ରାଜ୍ୟ ଉସମନାବାଦ ଜିଲା ଅଲିଖୁଦ ତୁଲଜାପୁରର ଗୁରୁନାଥ କିଶାନ କୁମ୍ଭାର(୩୦), ବରଗଡ ଜିଲା ଭଟଲି ଥାନା ସମ୍ବରଧରାର ପଞ୍ଚାନନ ପ୍ରଧାନ(୨୪) ଏବଂ ବରଗଡ ଭଟଲି ରାସ୍ତାର ଚନ୍ଦ୍ରଭାନୁ ନାୟକ(୪୦) । ସେମାନଙ୍କ ପାଖରୁ ବ୍ୟବହୃତ ଏକ ବୋଲେରୋ ଗାଡ଼ି(ନଂ-ଓଡି୦୫ଏଲ ୮୧୧୮), ଏକ ପିସ୍ତଲ, ୭ଟି ଗୁଳି, ୩ଟି ମୋବାଇଲ ଫୋନ, ଏକ ଡିଜିଟାଲ କ୍ୟାମେରା, ୫ଟି ଭାଲୁ ନଖ, ପେଙ୍ଗୋଲିନର ୨୬ଟି କାତି ଜବତ ହୋଇଛି । ସମ୍ପୃକ୍ତ ଫାର୍ମହାଉସ ଉପରେ ବନ କର୍ମଚାରୀମାନେ ଚଢ଼ାଉ ସମୟରେ ଅଭିଯୁକ୍ତମାନେ ଜବତ ବୋଲେରୋରେ ଫେରାର ଉଦ୍ୟମ କରିଥିଲେ । ତେବେ ସେମାନେ ବରଗଡ଼ ପଟକୁ ଆସୁଥିବା ବେଳେ ବରଗଡ଼ ଟାଉନ ଥାନାର ଏକ ଟିମ୍‌ ସେମାନଙ୍କୁ ବରଗଡ଼ ଭଟଲିଛକ ସ୍ଥିତ ମଙ୍ଗଳମ ପେଲେସ ପାଖରେ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଏ ନେଇ ଭଟଲି ଫରେଷ୍ଟ ରେଞ୍ଜରେ ଏକ ମାମଲା(ନଂ.୧୩/୨୩-୨୪) ରୁଜୁ ହୋଇଛି।

Share