ପରୀକ୍ଷା ଦେବାକୁ ୬ କି.ମି. ଚାଲିଲେ ୯୦ ଛାତ୍ରୀ

ମୋରଡ଼ା,୧୩।୧୨(ସ୍ମାରକ ମାଜୀ): ପଞ୍ଚାୟତସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ୯୦ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ୬ କି.ମି. ଚଲାଇ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରିଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଭାଲିଆଡ଼ିହା ପଞ୍ଚାୟତ ଭାଲିଆଡ଼ିହା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ(କେଜିବିଭି)ର ଛାତ୍ରୀ ଏଭଳି ଚାଲିଚାଲି ଯିବା ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ବାରମାଇଲସ୍ଥିତ ଉପେନ୍ଦ୍ର ନାଥ ଘୋଷ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ଉକ୍ତ ସ୍କୁଲଟି କେଜିବିଭି ସ୍କୁଲଠାରୁ ୬ କି.ମି. ଦୂର। ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଜେନା ୪ର୍ଥ, ୫ମ ଓ ଷଷ୍ଠ ଶ୍ରେଣୀର ୯୦ ଛାତ୍ରୀଙ୍କୁ ଚଲାଇ ଚଲାଇ କେନ୍ଦ୍ରକୁ ନେଇଥିଲେ। ପରୀକ୍ଷା ସରିବା ପରେ ପୁଣି ଚଲାଇ ଚଲାଇ ଆଣିଥିଲେ। ସ୍ଥାନୀୟ ଲୋକେ ଏହାର ଭିଡିଓ କରିବା ସହ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିନ୍ଦା କରିଛନ୍ତି। ବିଦ୍ୟାଳୟ ଏସ୍‌ଆଇଜି ଗ୍ରାଣ୍ଟ୍‌ରେ ଟଙ୍କା ଥାଇ ଛାତ୍ରୀଙ୍କୁ ରାସ୍ତାରେ ଚଲାଇବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା କହିଛନ୍ତି, ଛାତ୍ରୀମାନଙ୍କୁ ଗାଡ଼ିରେ ନେବା ପାଇଁ କୌଣସି ଅନୁଦାନ ନ ଥିଲା। ଫଳରେ ବିଲ ରାସ୍ତାରେ ଚଲାଇ ପରୀକ୍ଷା କେନ୍ଦ୍ରକୁ ନେଇଥିଲେ। ଘଟଣା ସମ୍ପର୍କରେ ଏବିଇଓ ପାଲୁ ହଁାସଦା ଅବଗତ ନ ଥିବା କହିଛନ୍ତି।

Share