ସୋନପୁର,୫।୨(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଲଛିପୁର ଥାନା ଅଞ୍ଚଳରେ ଶନିବାର ଛାତି ଥରାଇଲା ଭଳି ଦୁର୍ଘଟଣା ଘଟିଛି। ଅର୍ଜୁନପୁର-ବୁର୍ଡା ରାସ୍ତାର ପଣ୍ଡକିଟାଲ ଛକ ନିକଟରେ ଏହି ଘଟଣା ଘଟିଛି। ଟ୍ରକ୍ ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭିଂ ପାଇଁ ବୀରମହାରାଜପୁର ଥାନା କେଶଲପୁର ଗାଁର ରାଜକୁମାର ହରିପାଲ(୪୫) ଓ ତାଙ୍କ ଶଳା ନରସିଂହ ଗର୍ଡିଆ(୩୦)ଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ରାଜକୁମାରଙ୍କୁ ପ୍ରାୟ ୬ କିଲୋମିଟର ଦୂର ତିଲେଇମାଳ ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ଫଳରେ ତାଙ୍କ ଶରୀରର ବିଭିନ୍ନ ଅଂଶ ଛିଣ୍ଡି ଅଲଗା ହୋଇଯାଇଛି। ତିଲେଇମାଲରୁ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି। ସେହିପରି ଦୁର୍ଘଟଣାରେ ନରସିଂହଙ୍କ ଗୋଡ ଭାଙ୍ଗି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ଡ୍ରାଇଭର ଟ୍ରକ୍କୁ ଦ୍ରୁତଗତିରେ ପଦ୍ମପୁର ରାସ୍ତାରେ ନେଇ ଯାଇଥିବା ଅନୁମାନ କରାଯାଉଛି। ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇଛି। ଲଛିପୁର ଆଇଆଇସି ଚନ୍ଦ୍ରମୋହନ ସିଂଙ୍କ ନେତୃତ୍ୱରେ ପୋଲିସ ଟିମ୍ ଟ୍ରକ୍ ଡ୍ରାଇଭରଙ୍କୁ ଧରିବାକୁ ତନାଘନା ଜାରି ରଖିଛି। ରାଣୀସର୍ଡା-ଲୋଇସିଂହା ରାସ୍ତାରେ ଥିବା ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ୍କୁ ପୋଲିସ ଯାଞ୍ଚ କରୁଛି। ତେବେ ପୋଲିସକୁ ସଫଳତା ମିଳିନି।
ସୂଚନା ଅନୁଯାୟୀ କେଶଲପୁର ଗାଁର ନରସିଂହ ଓ ରାଜକୁମାର ବାଇକ୍ ନଂ ଓଆର୧୫ବି-୧୬୧୩ ଯୋଗେ ଔଷଧ ଆଣିବା ପାଇଁ ରାଣୀସର୍ଡା ଅଭିମୁଖେ ଯାଉଥିଲେ। ତେବେ ପଛରୁ ଆସୁଥିବା ଏକ ଟ୍ରକ୍ ନରସିଂହ ଓ ରାଜକୁମାରଙ୍କ ବାଇକ୍କୁ ଧକ୍କା ଦେବା ସହିତ ଉଭୟଙ୍କୁ ଘୋଷାରି ନେଇଥିଲା।