Categories: ଫୁରସତ

କୋଣାର୍କ ଚକ ନିର୍ମାଣରେ ସାମିଲ ଥିଲେ ଖିଚିଂର ୬ ଭାସ୍କର୍ଯ୍ୟ ଶିଳ୍ପୀ

ଗତ ସଂଖ୍ୟାରେ ଗୋଟିଏ ଅଘଟଣ ଘଟିଥିବାର ଚିତ୍ର ଏବଂ ଏକ ଉତ୍ସବର ଚିତ୍ର ସମ୍ପର୍କରେ ଆମେ ଆଲୋଚନା କରିଥିଲେ। ଏଥିରେ ଶିଳ୍ପୀମାନଙ୍କୁ ନିର୍ଯାତନା ଦିଆଯାଉଥିବାର ଗନ୍ଧ ଆମେ ଖୋଜି ପାଇଲୁ ନାହିଁ। ଅପରନ୍ତୁ ଫଗୁ ଦଶମୀଠାରୁ ଚାରି କାହାଣର ‘ଅବିର’ ପଠେଇବା ପାଇଁ ଗଜପତି ଜଣେଇ ଦେଇଥିଲେ। ଆମେ ସୂଚନା ଦେଇଥିଲୁ ଏରବଙ୍ଗସ୍ଥିତ ଶ୍ରୀଦଧିବାମନ ମନ୍ଦିରର ପୂଜାରୀ କିପରି ଶିଳ୍ପୀମାନଙ୍କୁ ସହଯୋଗ କରୁଥିଲେ।
ଶ୍ରୀକ୍ଷେତ୍ର ପରିତ୍ୟାଗ କରି ମହାପୁରୁଷ ବଳରାମ ଦାସ ଏରବଙ୍ଗର ଉକ୍ତ ମନ୍ଦିର ପରିସରରେ ସାଧନା ଅବ୍ୟାହତ ରଖିଥିଲେ। ଏବେ ସେହି ମନ୍ଦିର ନୂତନ ଭାବରେ ଗଢ଼ି ଉଠିଛି। ପଥରବୁହା ନଦୀଦାଢ଼ରେ ଥିବା ଶ୍ରୀଦକ୍ଷିଣେଶ୍ୱର ମନ୍ଦିରର ଦକ୍ଷିଣ ଦିଗକୁ ତାଙ୍କର ସମାଧି ରହିଛି। ସେଇଠି ଶେଷ ଜୀବନରେ ମହାପ୍ରଭୁ, ସାଆନ୍ତାଣୀଙ୍କ ସହିତ ଅନ୍ତିମ ମୁହୂର୍ତ୍ତରେ ଦର୍ଶନ ଦେଇଥିଲେ। ଏରବଙ୍ଗର ଅବଦାନ ମୂଳରୁ କୋଣାର୍କଠାରେ ମନ୍ଦିର ନିର୍ମାଣ ସମୟରୁ ରହିଥିଲା।
ପୂର୍ବରୁ ଆରମ୍ଭ ହୋଇଥିବା କୋଣାର୍କ ମନ୍ଦିରର ‘ଚକ’ର ସୂକ୍ଷ୍ମକାମ ଦୋଳପୂର୍ଣ୍ଣିମା ପରେ ବିଶେଷ ଆଗେଇଥିଲା। ଭାସ୍କର୍ଯ୍ୟ ଶିଳ୍ପୀମାନଙ୍କୁ ‘ବଳଶ୍ରୀ’ ଉପହାର ପ୍ରଦାନ କରିଥିଲେ। ପୂର୍ବରୁ ‘ଚକ’ର ଜାଲି କାମ କରୁଥିବା ଯୋଗୀ ଓ ଲକ୍ଷ୍ମଣ ମହାପାତ୍ରଙ୍କ ସହିତ ଆଉ ୪ଜଣ ଭାସ୍କର୍ଯ୍ୟ ଶିଳ୍ପୀ ଯୋଗ ଦେଇଥିଲେ। ମୋଟ ୬ଜଣ ଜାଲିକାମ ସିନା କଲେ, ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ୮ଜଣ ନିଯୁକ୍ତ ଭାସ୍କର୍ଯ୍ୟ ଶିଳ୍ପୀ ପୂର୍ବପରି କାମ କରୁଥାନ୍ତି। ଏହା ମଧ୍ୟରେ ଖିଚିଂରୁ ଆସିଥିବା ୬ଜଣ ଭାସ୍କର୍ଯ୍ୟଶିଳ୍ପୀ ସାମିଲ ଥିଲେ। ଗଜପତିଙ୍କ ପାଟମହାଦେଈ କୋଣାର୍କ ‘ଚକ’ର ସୂକ୍ଷ୍ମକାମ ଦେଖି ଅଭୀଭୂତ ହୋଇଯାଇଥିଲେ। ସେଥିପାଇଁ ସେ ସ୍ବତନ୍ତ୍ର ପୁରସ୍କାର ଘୋଷଣା କରି ଫେରିଥିଲେ। ପୁରସ୍କାର ଦେଇ ନ ଥିଲେ। ଏଥର ‘ବଳଶ୍ରୀ’ଙ୍କ ମାର୍ଫତରେ ସେ ପୁରସ୍କାର ବାବଦ ୩୨ ମାଢ଼ ସୁନା ପଠାଇଥିଲେ। ଏହା ତାଙ୍କର ବ୍ୟକ୍ତିଗତ। ଶିଳ୍ପୀମାନେ ପାଉଥିବା ପାଉଣାଠାରୁ ଏହା ଅଲଗା ଥିଲା।
ମନ୍ଦିର ନିର୍ମାଣବେଳେ ବିଭିନ୍ନ ବିଭାଗ ସୃଷ୍ଟି ହୋଇଥିବାର ଜଣାଯାଉଛି। ବିଭାଗୀୟ ଖର୍ଚ୍ଚ ଆନୁମାନିକ ବରାଦ ବି ହୋଇଥିଲା। ତଥାପି କେଉଁ ବିଭାଗରେ ବେଳେବେଳେ ନିର୍ଦ୍ଧାରିତ ଖର୍ଚ୍ଚ ଅଧିକ ହୋଇଯାଉଥିବାର ଦୃଷ୍ଟିକୁ ଆସିଛି। ତେଣୁ ମୋଟ ଖର୍ଚ୍ଚର ପରିମାଣ ନିଅଣ୍ଟିଆ ଧରୁଛି। ଏକଥା ଥରେ ପାଟମହାଦେଈଙ୍କ ଦୃଷ୍ଟିକୁ ଅଣାଯାଇଥିଲା। ସେ ୪୭ ମାଢ଼ ସୁନା ବ୍ୟକ୍ତିଗତ ତହବିଲରୁ ଭରଣା କରି ସମତୁଲ କରିଥିଲେ। ଏଠାରେ କହିବା କଥା ହେଉଛି- ଗଜପତି ଯେ କେବଳ ନିର୍ମାଣ କାର୍ଯ୍ୟ ପ୍ରତି ଦୃଷ୍ଟି ଦେଉଥିଲେ ତାହା ନୁହେଁ, ପାଟମହାଦେଈ ମଧ୍ୟ ଦୃଷ୍ଟି ଦେବାରେ ହେଳା କରୁ ନ ଥିଲେ।
ଆମେ ପାଟମହାଦେଈଙ୍କ ସଚେତନ ଦୃଷ୍ଟିଭଙ୍ଗୀକୁ ଜାଣିଲେ। ଗଜପତି କିପରି ଏକ ବ୍ୟାପକ ଦୃଷ୍ଟିକୋଣ ରଖିଥିଲେ ନିର୍ମାଣ କାଳରେ ଆମେ ଦେଖିବା। କଥା ଆସିଲା ଦ୍ୱାଦଶ ଆଦିତ୍ୟଙ୍କ ପିଣ୍ଡିର ଅବସ୍ଥିତି କିପରି, କେଉଁ ଶୈଳୀରେ। ଶାସ୍ତ୍ରୀୟ ବିଧିରେ ନିର୍ମିତ ହେବ। ସେଥିପାଇଁ ଗଜପତି ଆଦେଶ ଜାରି କଲେ ବଡ଼ଜେନା ବିଶ୍ୱନାଥ ହରିଚନ୍ଦନଙ୍କ ନାମରେ। କେଉଁ କେଉଁ ସ୍ଥାନରୁ କେଉଁ କେଉଁ ପଣ୍ଡିତ ଆସିବେ, ସୁବ୍ୟବସ୍ଥିତ କରିବାକୁ ତାହା ବି ବଡ଼ଜେନାଙ୍କ ସହିତ ଆଲୋଚନା କଲେ। ନିଷ୍ପତ୍ତି ହେଲା- ନରସିଂହପୁର ଶାସନରୁ ପଣ୍ଡିତ ମାନଗୋବିନ୍ଦ ରାଜଗୁରୁ ଓ ପଣ୍ଡିତ ଆନନ୍ଦ ରଥ କୋଣାର୍କ ଆସିବେ। ପୋଥିରେ କେବଳ ‘ଶାସନ’ ନାମ ଅଛି, ଜିଲା ବା ମଣ୍ଡଳ ନାମ ନ ଥିବାରୁ ଆମ୍ଭେ ପୁରୀ ଜିଲାର ପ୍ରସିଦ୍ଧ ନରସିଂହପୁର ଶାସନକୁ ଗ୍ରହଣ କରିପାରିବା। ମନେହୁଏ ଏହି ପ୍ରାଚୀନ ଶାସନର ନାମ ପୂର୍ବରୁ ‘ବୀର’ ଶବ୍ଦ ନ ଥିଲା। ଗଜପତି ନରସିଂହଦେବ ବାସ୍ତୁ ବ୍ୟବସ୍ଥା କରି ଯଜ୍ଞ ନିର୍ବାହ କରାଇ ନିଷ୍କର ଜମି ଦାନ କଲାପରେ ଶାସନର ନାମ ପୂର୍ବରୁ ‘ବୀର’ ଶବ୍ଦ ସଂଯୋଗ ହୋଇଅଛି। ଯଦି ପୁରୀର ଚନ୍ଦନପୁର ନିକଟ ନରସିଂହପୁର ଶାସନର ଏହି ଦୁଇଜଣ ପଣ୍ଡିତ ହୋଇଥିବେ, ତେବେ ଜାଣିବାକୁ ହେବ ଲାଙ୍ଗୁଳା ନରସିଂହଦେବଙ୍କ ସମୟରେ ନରସିଂହପୁର ଶାସନ ପ୍ରତିଷ୍ଠିତ ହୋଇ ସାରିଥିଲା।
୭ଜଣ ପଣ୍ଡିତଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଉପର ବର୍ଣ୍ଣିତ ୨ଜଣଙ୍କ ପରେ ଅନ୍ୟ ୫ଜଣଙ୍କ ମଧ୍ୟରେ ଭୁକ୍ତା ସଦାନନ୍ଦ ଦାସ ଉପାଧ୍ୟାୟ ଥିଲେ। ‘ଭୁକ୍ତା’ ଶବ୍ଦ ବ୍ୟବହାରରୁ ଜଣାଯାଏ ସେ ତନ୍ତ୍ରଶାସ୍ତ୍ର ବିଶାରଦ ଥିଲେ। ତନ୍ତ୍ରଶାସ୍ତ୍ରରେ ‘ବାସ୍ତୁ’ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭାବରେ ସ୍ଥାନ ପାଇଛି। ସେ କେଉଁଠାରୁ ଆମନ୍ତ୍ରିତ ହୋଇଥିଲେ ଲେଖା ନାହିଁ। ଏହାପରେ ପଣ୍ଡିତ ଆଦିନାରାୟଣ ଆଚାର୍ଯ୍ୟ, ଅନିରୁଦ୍ଧ ନାରାୟଣ ଫଉଦାର, ପଣ୍ଡିତ ମୁଖି ବିଶ୍ୱକେଶନ ଆୟେଙ୍ଗାର ଓ ପଣ୍ଡିତ ପାଟ୍ରୁପାନୁ ଏହି ୭ଜଣଙ୍କ ମଧ୍ୟରେ ଥିଲେ।

ଡ. ସୁରେନ୍ଦ୍ର କୁମାର ମିଶ୍ର

Share