୬ ଲେନ ରିଙ୍ଗ୍‌ ରୋଡ୍‌ କାର୍ଯ୍ୟ ଅଧାପନ୍ତରିଆ

କୋଣାର୍କ,୨୭।୮(ଜ୍ୟୋତିରାଜ ମହାନ୍ତି)କୋଣାର୍କରେ ଚନ୍ଦ୍ରଭାଗାଠାରୁ ଲାବଣ୍ୟ ଲଜ୍‌ ଛକ ପର୍ଯ୍ୟନ୍ତ ଚାଲିଥିବା ୬ଲେନ ରିଙ୍ଗ୍‌ ରୋଡ୍‌ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି। ରାସ୍ତା ନିର୍ମାଣ ପାଇଁ ଲୋକଙ୍କ ଜମି ଆବଶ୍ୟକ ବେଳେ କେତେଜଣ ଅସହମତି ପ୍ରକାଶ କରୁଥିବାରୁ ଜମିଜମା ସମସ୍ୟା ଲାଗିରହିଛି। ଫଳରେ କାମ ଦାୟିତ୍ୱରେ ଥିବା ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ) ଏହାର ଅବଶିଷ୍ଟ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି। କୋଣାର୍କରେ ସରକାରୀ ଜମିକୁ କେତେଜଣ ମୁଷ୍ଟିମେୟ ବ୍ୟକ୍ତି ଜବରଦଖଲ କରି ନିଜ ଅଧୀନରେ ରଖିଥିବା ବେଳେ ୬ଲେନ ରିଙ୍ଗ ରୋଡ୍‌ କାର୍ଯ୍ୟ ପାଇଁ ଜିରୋ ଲାଇନ କ୍ଲିୟର ନ ହେବା ଯୋଗୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନି ବୋଲି ଏହି ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ଜଣେ ଅଧିକାରୀ କହିଛନ୍ତି। ଖବର ଅନୁଯାୟୀ, କୋଣାର୍କଠାରେ ଦୀର୍ଘ ୧ବର୍ଷରୁ ଊଦ୍ଧର୍‌ବ ସମୟ ଧରି ଏନ୍‌ଏଚ୍‌ଏଆଇ ପକ୍ଷରୁ ଏହି ୬ଲେନ ରିଙ୍ଗ ରୋଡ୍‌ ନିର୍ମାଣ କାର୍ଯ୍ୟ ସୁରେଶ ଚନ୍ଦ୍ର ସାହୁଙ୍କ ଦ୍ବାରା କରାଯାଉଥିବା ବେଳେ କୋଣାର୍କ ଅଞ୍ଚଳର କେତେଜଣ ବ୍ୟକ୍ତି ବିଶେଷଙ୍କ ଜାଗା ଦେଇ ରାସ୍ତା ଯାଉଥିବା ବେଳେ ସେମାନଙ୍କୁ ଏନ୍‌ଏଚ୍‌ଏଆଇ ପକ୍ଷରୁ ପ୍ରାୟ ୫କୋଟି ଟଙ୍କାର କ୍ଷତିପୂରଣ ରାଶି ଦିଆଯାଇଛି। ମାତ୍ର ସେଥିରୁ କେତେଜଣ ବ୍ୟକ୍ତି ଏନ୍‌ଏଚ୍‌ଏଆଇ ନାମରେ କୋର୍ଟରେ କେସ୍‌ କରି ରହିତାଦେଶ କରିଥିବା ବେଳେ ଅନ୍ୟ କେତେଜଣ ନିଜ ଜାଗାର ଉଚିତ ମୂଲ୍ୟ ଦାବି କରି ୬ଲେନ ରାସ୍ତା କାର୍ଯ୍ୟ ପାଇଁ ଜାଗା ଦେଉନାହାନ୍ତି। ଫଳରେ ନିର୍ମାଣ କାର୍ଯ୍ୟ ଅଧା ହୋଇ ପଡ଼ିରହିଛି। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ବିସ୍ଥାପିତମାନଙ୍କୁ ଗୃହ ଉଚ୍ଛେଦ ବାବଦରେ କ୍ଷତିପୂରଣ ରାଶି ପ୍ରଦାନ ସମୟରେ ସେମାନେ ବସବାସ କରୁଥିବା ଜମିକୁ ରାଜସ୍ବ ବିଭାଗ ପକ୍ଷରୁ ଅଧିଗ୍ରହଣପୂର୍ବକ ନିଜ ଅଧୀନକୁ ନେଇଥିଲେ, ପରେ ଜମି ବାବଦରେ କୋର୍ଟରେ ମାମଲା କରିବାର ସାହସ ଜୁଟାଇବାରେ ସକ୍ଷମ ହୋଇ ନ ଥାନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏ ନେଇ ଜାତୀୟ ରାଜପଥର ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ଜେନା କହିଛନ୍ତି, ରାସ୍ତା ନିର୍ମାଣ କାର୍ଯ୍ୟରେ ଏଭଳି ସମସ୍ୟା ଲାଗିରହୁଥିବାରୁ ଅବଶିଷ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଏନ୍‌ଏଚ୍‌ଏଆଇଙ୍କ ପକ୍ଷରୁ ପୁରୀ ଜିଲା ପୂର୍ତ୍ତ ବିଭାଗକୁ ଦାୟିତ୍ୱ ହସ୍ତାନ୍ତର କରାଯିବ। ୬ଲେନ ରିଙ୍ଗ ରୋଡର ଅବଶିଷ୍ଟ କାର୍ଯ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ରିଟେଣ୍ଡର କରାଯାଇ ଜିରୋ ଲାଇନ କ୍ଲିୟର ପରେ କାର୍ଯ୍ୟାରମ୍ଭ କରାଯିବ ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି।