ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୬ ମାଓବାଦୀ

ମାଲକାନଗିରି,୮।୮(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ଦାନ୍ତଓ୍ବୋଡାରେ ସରକାରଙ୍କ ଆତ୍ମସମର୍ପଣ ନୀତି ଏବଂ ଜିଲା ପୋଲିସ ଦ୍ବାରା କରାଯାଉଥିବା ଘରକୁ ଫେର (ଲୋନ ବାରାଟୁ) ଅଭିଯାନରେ ପ୍ରଭାବିତ ହୋଇ ଜଣେ ୧ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀଙ୍କ ସମେତ ୬ଜଣ ଗୁରୁବାର ଆତ୍ମସମର୍ପଣ କରିଛନ୍ତି।

ସୂଚନା ଅନୁଯାୟୀ, ଛତିଶଗଡ ଦାନ୍ତଓ୍ବୋଡା ଜିଲା ଡିଆର୍‌ଜି କାର୍ଯ୍ୟାଳୟରେ ଦାନ୍ତଓ୍ବୋଡା ଏସ୍‌ପି, ସିଆରପିଏଫ୍‌-୧୧୧ ବାହିନୀର କମାଣ୍ଡାଣ୍ଟ ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ୧ ଲକ୍ଷ ପୁରସ୍କାର ଘୋଷିତ କେଏଏଏମ୍‌ଏସ୍‌ ମହିଳା ମାଓବାଦୀ ମାସେ ମାଡକାମ, ଆରପିସି ମିଲିସିଆ ସଦସ୍ୟ ସୋମରୁ କଶ୍ୟପ, ଡିଏକେଏମ୍‌ଏସ୍‌ ସଦସ୍ୟ ନାନ୍ଦା କୋରାମ, ମିଲିସିଆ ସଦସ୍ୟ ଦେବା ମାଡକାମ, ମିଲିସିଆ ସଦସ୍ୟ ଦଶସୁ କଡ଼ତି ଓ ସିଏନ୍‌ଏମ୍‌ ସଦସ୍ୟ ଜୟରାମ କଡ଼ତି ।

ସମସ୍ତ ମାଓବାଦୀମାନେ କଟେକଲ୍ୟାଣ ମଲାଙ୍ଗାର, ଭୈରମଗଡ଼ ଏରିଆର ମାଓବାଦୀ ସଂଗଠନରେ ସକ୍ରିୟ ରହି କାର୍ଯ୍ୟକରୁଥିବା ଦାନ୍ତଓ୍ବୋଡା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆତ୍ମସମର୍ପଣ ନୀତି ଅନୁଯାୟୀ ୬ ଜଣଙ୍କୁ ୨୫ ହଜାର ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ସହ ଆଗାମୀ କିଛି ଦିନ ମଧ୍ୟରେ ଅନ୍ୟ ସମସ୍ତ ସୁବିଧା ଯୋଗାଇ ଦିଆଯିବା ନେଇ ଦାନ୍ତଓ୍ବୋଡା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Share