୨ ବର୍ଷରେ ୬ ବିବାହ, ସମସ୍ତଙ୍କ ସାମ୍ନାରେ ପ୍ରେମିକଙ୍କ ବାଇକ୍‌ରେ ଛୁ’ ମାରିଲେ ଯୁବତୀ

ଭୋପାଳ,୩ା୨: ମଧ୍ୟପ୍ରଦେଶର ଜବଲପୁରରୁ ଏକ ଲୁଟେରା କନ୍ୟା ମାମଲା ସାମ୍ନାକୁ ଆସିଛି। ନିଜକୁ ଅନାଥ କହିଥିବା ଯୁବତୀ ଜଣଙ୍କ କୋର୍ଟ ପରିସରସ୍ଥିତ ମନ୍ଦିରରେ ବିବାହ କରିଥିଲେ। ପରେ ବରଙ୍କୁ ଚକ୍‌ମା ଦେଖାଇ ସମସ୍ତଙ୍କ ସାମ୍ନାରେ ପ୍ରେମିକଙ୍କ ବାଇକ୍‌ରେ ବସି ଫେରାର ହୋଇଯାଇଛନ୍ତି।

ଛିନ୍ଦଓ୍ବାଡାରେ ରହୁଥିବା ଦଶରଥ ପଟେଲ ବିବାହ କରିବା ପାଇଁ ଦୁଇଦିନ ପୂର୍ବରୁ ଜବଲପୁର ଆସିଥିଲେ। ସେଠାରେ ରେଣୁ ରାଜପୁତ ନାମକ କନ୍ୟାଙ୍କୁ ମନ୍ଦିରରେ ବିବାହ କରିଥିଲେ। ଏହା ପରେ ଦୁଇଜଣ କୋର୍ଟରେ ବିବାହ ପଞ୍ଜୀକରଣ କରିଥିଲେ। ମାତ୍ର ଏହି ସମୟରେ ବାଇକ୍‌ରୁ ଓହ୍ଲାଇ ଆଉ ଜଣେ ଯୁବକ ତଥା ତାଙ୍କ ପ୍ରେମିକଙ୍କ ଗାଡ଼ିରେ ବସି ରେଣୁ ଫେରାର ହୋଇଯାଇଥିଲେ। ଏହା ପରେ ଦଶରଥଙ୍କ ପରିବାର ଲୋକ ତୁରନ୍ତ କୋର୍ଟକୁ ଫେରି ଓକିଲଙ୍କୁ ସବୁକିଛି କହିଥିଲେ। ସେଠାରେ ଉପସ୍ଥିତ ଥିବା ରେଣୁଙ୍କ ମାଉସୀ ଅର୍ଚ୍ଚନା ବର୍ମନଙ୍କୁ ଅଟକାଇଥିଲେ। ପରେ ପୋଲିସକୁ ସୂଚନା ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଚ୍ଚନାଙ୍କୁ ଥାନାକୁ ନେଇଥିଲେ।

ବରପକ୍ଷର ସୂଚନା ଅନୁସାରେ, ତାଙ୍କର କକା-ଖୁଡ଼ୀ ଜବଲପୁରରେ ରୁହନ୍ତି। ସେଠାରେ ସେ ଏକ ଗ୍ରୋସରୀ ଦୋକାନ କରିଛନ୍ତି। ଏହି ଦୋକାନକୁ ଅର୍ଚ୍ଚନା ସଉଦା ନେବାକୁ ଆସି ସମ୍ପର୍କ ବଢ଼ିଥିଲା। ପରେ ସେ କହିଥିଲେ ତାଙ୍କର ଏକ ଝିଆରୀ ଅଛ, ବିବାହ କରିବା ପାଇଁ। ପରେ ଏଥିରେ ଦଶରଥଙ୍କ ଖୁଡ଼ୀ ସୁନୀତା ରାଜି ହୋଇଥିଲେ। ସୁନୀତାଙ୍କୁ ଅର୍ଚ୍ଚନା କହିଥିଲେ ମୋ’ ଝିଆରୀର ମା-ବାପା କେହି ନାହାନ୍ତି। ତାଙ୍କର ବିବାହ ଦାୟିତ୍ୱ ମୋ’ ଉପରେ। ଏହା ପରେ ଉଭୟ ପକ୍ଷ ୧ ଫେବୃୟାରୀରେ ବିବାହ କରିବାକୁ ସ୍ଥିର କରିଥିଲେ।

କିଛି ସମୟ ପରେ ଲୁଟେରା କନ୍ୟାଙ୍କ ସହିତ ତାଙ୍କର କଥିତ ମାଉସୀଙ୍କୁ ପୋଲିସ ଗିରଫ କରିଛି। ପଚରାଉଚରା ସମୟରେ ପୋଲିସ ଅନେକ ଆଶ୍ଚର୍ଯ୍ୟଜନକ କଥାର ଖୁଲାସା କରିଛି। ପୋଲିସ କହିଛି, ଦୁଇ ବର୍ଷ ମଧ୍ୟରେ ସେ ୬ରୁ ଅଧିକ ଥର ବିବାହ କରି ବରମାନଙ୍କୁ ଚୂନ ଲଗାଇଛନ୍ତି। ରେଣୁଙ୍କ ପ୍ରକୃତ ନାମ ହେଉଛି ସଙ୍ଗୀତା ଅହିରଓ୍ବାର। ଯିଏ କି ରେଣୁ ନାମରେ ନକଲି ଆଧାର କାର୍ଡ କରିଛନ୍ତି। ରେଣୁ ପୋଲିସ ଆଗରେ ସ୍ବୀକାର କରିଛନ୍ତି, ସେ ୨ ବର୍ଷ ଭିତରେ ୬ ଥର ବିବାହ କରିଛନ୍ତି। ପୋଲିସ ରେଣୁ, ଅର୍ଚ୍ଚନା, ରେଣୁଙ୍କ ପ୍ରେମିକ ଅଜୟଙ୍କ ନାମରେ ମାମଲା ରୁଜୁ କରି ଗିରଫ କରିଛି।

Share