ଭାରତ-ନେପାଳ ମଧ୍ୟରେ ୬ ଏମ୍‌ଓୟୁ

କାଠମାଣ୍ଡୁ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେପାଳ ଗସ୍ତ ଅବସରରେ ସୋମବାର ଦୁଇ ଦେଶ ମଧ୍ୟରେ ୬ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀରେ ମୋଦି ତାଙ୍କ ନେପାଳ ପ୍ରତିପକ୍ଷ ଶେର୍‌ ବାହାଦୁର ଦେଉବାଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ବୌଦ୍ଧ ପୂର୍ଣ୍ଣିମା ଅବସରରେ ଲୁମ୍ବିନୀରେ ପ୍ରଧାନମନ୍ତ୍ରୀ ମୋଦି ଅତ୍ୟାଧୁନିକ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ସେଣ୍ଟର ଫର୍‌ ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ୍‌ ହେରିଟେଜ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସମ୍ପୂର୍ଣ୍ଣ ହେଲେ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ ହେବା ସହ ସାରା ବିଶ୍ୱରେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ।
ଦୁଇ ପ୍ରଧାନମନ୍ତ୍ରୀଙ୍କ ଆଲୋଚନାରେ ଭାରତ-ନେପାଳ ସହଯୋଗ ଏବଂ ପାରସ୍ପରିକ ସ୍ବାର୍ଥ ପ୍ରସଙ୍ଗ ସ୍ଥାନ ପାଇଥିଲା। ଦୁଇ ଦେଶ ମଧ୍ୟରେ ସହଯୋଗ ବଢ଼ାଇବା ଉପରେ ଉଭୟ ନେତା ଜୋର୍‌ ଦେଇଥିଲେ। ସେହିପରି ଲୁମ୍ବିନୀ ଏବଂ କୁଶିନଗର ସହର ମଧ୍ୟରେ ସମ୍ପର୍କ ବଢ଼ାଇବା ଲାଗି ଦୁଇ ପ୍ରଧାନମନ୍ତ୍ରୀ ସହମତ ହୋଇଥିଲେ। ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ୬ଟି ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ନେପାଳରେ ଲୁମ୍ବିନୀ ମ୍ୟୁଜିୟମ ନିର୍ମାଣ ଏବଂ ଲୁମ୍ବିନୀ ବୁଦ୍ଧିଷ୍ଟ ୟୁନିଭର୍ସିଟିରେ ଡ. ଆମ୍ବେଡ୍‌କର ଚେୟାର ସ୍ଥାପନ ଉକ୍ତ ଏମ୍‌ଓୟୁରେ ରହିଛି।
ପ୍ରଧାନମନ୍ତ୍ରୀ ନେପାଳରେ ପହଞ୍ଚତ୍ ପ୍ରଥମେ ମାୟା ଦେବୀ ମନ୍ଦିର ଦର୍ଶନ କରିଥିଲେ। ତାଙ୍କ ସହ ଦେଉବା ଓ ତାଙ୍କ ପତ୍ନୀ ଡ. ଅର୍ଜୁ ରାଣା ଦେଉବା ଉପସ୍ଥିତ ଥିଲେ। ପରେ ଦୁଇ ପ୍ରଧାନମନ୍ତ୍ରୀ ମନ୍ଦିର ନିକଟରେ ଥିବା ଅଶୋକ ସ୍ତମ୍ଭ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଖ୍ରୀଷ୍ଟପୂର୍ବ ୨୪୯ରେ ସମ୍ରାଟ ଅଶୋକ ଉକ୍ତ ସ୍ତମ୍ଭ ନିର୍ମାଣ କରିଥିଲେ। ଲୁମ୍ବିନୀ ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥାନ ବୋଲି ଏଥିରେ ଲେଖାଯାଇଛି। ଭାରତ-ନେପାଳ ସୀମା ବିବାଦ ପରେ ଏହା ମୋଦିଙ୍କ ପ୍ରଥମ ନେପାଳ ଗସ୍ତ।

Share