୬ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ

ବାଙ୍କୀ,୪ା୮(ଜ୍ଞାନେନ୍ଦ୍ର ମୋହନ ମିଶ୍ର): ହୀରାକୁଦରୁ ବନ୍ୟାଜଳ ଛଡ଼ାଯିବା ପରେ ମହାନଦୀର ବାଙ୍କୀଠାରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଏଠାରେ ବିପଦ ସଂକେତ ୭.୭୮ମିଟର ଥିବା ବେଳେ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ୭.୮୧ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ବାଙ୍କୀର ତଳିଆ ଅଞ୍ଚଳରେ ମଧ୍ୟ ମହାନଦୀର ବନ୍ୟାଜଳ ପ୍ରବେଶ କରିଛି। ସରଣ୍ଡା ସୁବର୍ଣ୍ଣପୁର ନିକଟ ହୁଳୁହୁଳା ପୋଲ ଉପରେ ୫ଫୁଟର ବନ୍ୟାଜଳ ପ୍ରବାହିତ ହୋଇଛି। ଫଳରେ ବାଙ୍କୀ ବ୍ଲକର ୬ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସେଗୁଡ଼ିକ ହେଲା ବାଉଁଶପୁଟ, ବନ୍ଦାଳ, ରତାଗଡ, ଓସ୍ତିଆ, ସୁବର୍ଣ୍ଣପୁର ଓ କନ୍ତପହଁରା। ସେହିପରି ଡମପଡ଼ା ବ୍ଲକ ଶିମିଳିପୁର -ବିଲିପଡା ରାସ୍ତାର କଇଁଆ ନାଳ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେବା ଫଳରେ ବିଲିପଡା-ଶିମିଳିପୁର-ତାଳବସ୍ତ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରଣନଦୀ ଦେଇ ମହାନଦୀ ବନ୍ୟାଜଳ ପ୍ରବେଶ କରିବା ଫଳରେ ବିଲିପଡା, ତାଳବସ୍ତ, ପାଟପୁର, ଗୋପାଳପୁର ଅଞ୍ଚଳ ଜଳମଗ୍ନ ହେଉଛି। ସେହିପରି ବାଙ୍କୀ କଳାପଥର ରାସ୍ତାର ଚନ୍ଦ୍ରପା ସେତୁରେ ୨ଫୁଟ ଉଚ୍ଚର ପାଣି ପ୍ରଭାବିତ ହେଉଛି। ଡମପଡ଼ା ବ୍ଲକ କଇଁମୁଣ୍ଡି ଗାଁ ବନ୍ୟାଜଳ ଘେରରେ ରହିଛି। ଜନସାଧାରଣ ଗାଁ ଛାଡି ଉଚ୍ଚ ଜାଗାକୁ ଚାଲିଯାଇଛନ୍ତି। କଇଁମୁଣ୍ଡି ,ବିଲିପଡା ଓ ଶିମିଳିପୁର ଅଞ୍ଚଳରେ ଗୋଟିଏ ଲେଖାଏଁ ବୋଟ୍‌ ଯୋଗାଇ ଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି। ବାଙ୍କୀରେ ଜିରୋ କାଜୁଆଲିଟି ପାଇଁ ଗୁରୁତ୍ୱ ଦିଆଯାଉଛି ବୋଲି ଉପଜିଲାପାଳ ରଞ୍ଜନ କୁମାର ଜେନା ପ୍ରକାଶ କରିଛନ୍ତି। କଟକର ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର ବାଙ୍କୀରେ ଉପସ୍ଥିତ ରହି ବନ୍ୟାସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।