ଚିକ୍କାବଲପୁର, ୨୪।୨ : କର୍ନାଟକର ଚିକ୍କାବଲପୁର ଏବଂ ବେଙ୍ଗାଲୁରୁ ସୀମାନ୍ତ ଏକ ଗ୍ରାମରେ ମଙ୍ଗଳବାର ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଖବର ଅନୁଯାୟୀ ଜିଲେଟିନ୍ ଷ୍ଟିକ୍ଗୁଡ଼ିକୁ ଗାଡ଼ିରେ ନେବାବେଳେ ତାହା ବିସ୍ଫୋରଣ ହୋଇଥିଲା। ପୋଲିସ ଘଟଣାର ତଦନ୍ତ କରୁଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଗାଡ଼ିଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ମୃତଦେହଗୁଡ଼ିକୁ ଚିହ୍ନଟ କରିହେଉନାହିଁ। ଖାଦାନରେ ବିସ୍ଫୋରଣ ପାଇଁ ଜିଲେଟିନ୍ ଷ୍ଟିକ୍ ବ୍ୟବହାର କରାଯାଉଥିଲା। ଗତ ୬ ତାରିଖରେ ପୋଲିସ ଚଢ଼ାଉରୁ ବର୍ତ୍ତିବା ଲାଗି ଖଣି ମାଲିକ ଉକ୍ତ ଜିଲେଟିନ୍ ଷ୍ଟିକ୍ଗୁଡ଼ିକୁ ଆଣି ଲୁଚାଇ ରଖିଥିଲେ। ପୁଣି ଥରେ ଚଢ଼ାଉ ହେବା ଆଶଙ୍କାରେ ମଙ୍ଗଳବାର ଭୋର ସମୟରେ ସେ ଜିଲେଟିନ୍ ଷ୍ଟିକ୍ଗୁଡ଼ିକୁ ଖଣି ନିକଟବର୍ତ୍ତୀ ଜଙ୍ଗଲ ମଧ୍ୟକୁ ନେଉଥିବାବେଳେ ତାହା ବିସ୍ଫୋରଣ ହୋଇଥିଲା। ଚିକ୍କବଲପୁର ଜିଲାର ହିରେନାଗଭାଲ୍ଲି ଗ୍ରାମରେ ଏହି ବିସ୍ଫୋରଣ ଘଟିଛି। ଏସ୍ପିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ବିସ୍ଫୋରଣ ସ୍ଥଳ ଯାଞ୍ଚ କରିଛି।