୬ଜଣଙ୍କୁ ମିଳିବ ‘ସଙ୍ଗୀତ ନାଟକ ଅକାଦେମୀ ଫେଲୋଶିପ୍‌’

ଭୁବନେଶ୍ୱର, ୨୯।୨ (ବନ୍ଦନା ସେଠୀ)କେନ୍ଦ୍ର ସଙ୍ଗୀତ ନାଟକ ଅକାଦେମୀ ପକ୍ଷରୁ ‘ସଙ୍ଗୀତ ନାଟକ ଅକାଦେମୀ ଫେଲୋଶିପ୍‌’ (ଅକାଦେମୀ ରତ୍ନ) ସହ ଅକାଦେମୀ ପୁରସ୍କାର ଏବଂ ଉସ୍ତାଦ ବିସ୍‌ମିଲ୍ଲା ଖାନ୍‌ ଯୁବ ପୁରସ୍କାର ଘୋଷଣା କରାଯାଇଛି। କଳା କ୍ଷେତ୍ରରେ ଉତ୍କର୍ଷତା ପାଇଁ ୬ଜଣ ବ୍ୟକ୍ତି ବିଶେଷଙ୍କୁ ଅକାଦେମୀ ରତ୍ନ ପ୍ରଦାନ କରାଯିବ। ସେମାନେ ହେଉଛନ୍ତି ବିନାୟକ ଖେଡ଼େକର୍‌, ଆର୍‌. ବିଶ୍ୱେଶ୍ୱରାନ୍‌, ସୁନୟନା ହଜାରିଲାଲ୍‌, ରାଜା ଆଣ୍ଡ୍‌ ରାଧା ରେଡ୍ଡୀ, ଦୁଲାଲ୍‌ ରଏ ଓ ଡି.ପି. ସିହ୍ନା। ପୁରସ୍କାର ବାବଦରେ ପ୍ରତ୍ୟକଙ୍କୁ ୩ଲକ୍ଷ ଟଙ୍କାର ଅର୍ଥରାଶି, ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ। ଦିଲ୍ଲୀଠାରେ ଫେବୃଆରୀ ୨୧ ଓ ୨୨ରେ ଅନୁଷ୍ଠିତ ଅକାଦେମୀର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି। ସେହିପରି ୨୦୨୨-୨୩ ବର୍ଷ ପାଇଁ ସଙ୍ଗୀତ, ନୃତ୍ୟ, ଥିଏଟର ତଥା ପାରମ୍ପରିକ/ଫୋକ୍‌/ଟ୍ରାଇବାଲ ମ୍ୟୁଜିକ୍‌/ନୃତ୍ୟ/ଥିଏଟର/ପପର୍ଟି ଆଦି କ୍ଷେତ୍ରରେ ୯୨ଜଣଙ୍କୁ ‘ସଙ୍ଗୀତ ନାଟକ ଅକାଦେମୀ ଆଓ୍ବାର୍ଡ’ (ଅକାଦେମୀ ପୁରସ୍କାର) ଏବଂ ୮୦ଜଣ ଯୁବ କଳାକାରଙ୍କୁ ‘ସଙ୍ଗୀତ ନାଟକ ଅକାଦେମୀ ଉସ୍ତାଦ ବିସ୍‌ମିଲ୍ଲା ଖାନ୍‌ ଯୁବ ପୁରସ୍କାର’ ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଅକାଦେମୀ ପୁରସ୍କାର ବାବଦରେ ୧ଲକ୍ଷ ଟଙ୍କା ଅର୍ଥରାଶି, ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ଏବଂ ଯୁବ ପୁରସ୍କାର ବାବଦରେ ୨୫ହଜାର ଟଙ୍କା ଅର୍ଥରାଶି, ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ। ତେବେ ଅକାଦେମୀ ଫେଲୋଶିପ୍‌ ଏବଂ ଅକାଦେମୀ ପୁରସ୍କାରକୁ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଅପରପକ୍ଷେ ଯୁବ ପୁରସ୍କାରକୁ ଅକାଦେମୀର ଚେୟାରମ୍ୟାନ୍‌ ସ୍ବତନ୍ତ୍ର ଉତ୍ସବରେ ପ୍ରଦାନ କରିବେ ବୋଲି ସୂଚନା ଦିଆଯାଇଛି।

Share