ପ୍ରିନ୍ସିପାଲ, ଶିକ୍ଷକଙ୍କ ଆକାଉଣ୍ଟରୁ ୬.୫ଲକ୍ଷ ଲୁଟ

ଭୁବନେଶ୍ୱର,୨୯ା୮ବ୍ୟୁରୋ): ପୁଣି ସାଇବର ଠକେଇର ଶିକାର ହୋଇଛନ୍ତି ଭୁବନେଶ୍ୱରର ଦୁଇଜଣ ବ୍ୟକ୍ତି। ସାଇବର ଠକମାନେ ଖାରବେଳନଗର ଥାନା ୟୁନିଟ-୩ସ୍ଥିତ ଡା.ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜର ପ୍ରିନ୍ସିପାଲ ସୁଧୀର କୁମାର ଦାଶଙ୍କ ଆକାଉଣ୍ଟରୁ ୬ଲକ୍ଷ ଟଙ୍କା ନେଇଯାଇଥିବାବେଳେ ଏୟାରଫିଲ୍ଡ ଥାନା ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର କୁମାର ଶତପଥୀଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ନେଇଯାଇଛନ୍ତି। ଏହା ଜାଣିବା ପରେ ଉଭୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପୋଲିସ ସୂଚନା ଅନୁଯାୟୀ, ପ୍ରିନ୍ସିପାଲ ସୁଧୀରଙ୍କ ଘର କଟକରେ। ସେ ଗତ ୨୦ ତାରିଖରେ ୭ ହଜାର ଟଙ୍କା ଉଠାଇବା ପାଇଁ ଏକ ଏଟିଏମ୍‌କୁ ଯାଇଥିଲେ। ମିନି ଷ୍ଟେଟ୍‌ମେଣ୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ଆକାଉଣ୍ଟରେ ପୂର୍ବରୁ ୭ଲକ୍ଷ ୨୧ ହଜାର ଟଙ୍କା ରହିଥିବାବେଳେ ତାହା ନ ଥିବା ଦେଖି ସମ୍ପୃକ୍ତ ବ୍ୟାଙ୍କ୍‌କୁ ଏକ ମେଲ୍‌ କରିଥିଲେ। ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ସୁଧୀରଙ୍କ ମେଲ୍‌ ପାଇବା ପରେ ପେଟିଏମ୍‌ ଓ ଗୁଗଲ ପେ’ ମାଧ୍ୟମରେ ଅନ୍ୟ ଆକାଉଣ୍ଟକୁ ୪୧ଥରରେ ୬ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିବା ଜଣାଇଛନ୍ତି। ସେହିପରି ଗଞ୍ଜାମର ସୁରେନ୍ଦ୍ର ଶିକ୍ଷକ ଚାକିରିରୁ ଅବସର ପରେ ଏୟାରଫିଲ୍ଡ ଥାନା ବୋତଣ୍ଡାରେ ପରିବାର ସହ ରହୁଛନ୍ତି। ଗଞ୍ଜାମସ୍ଥିତ ଏସ୍‌ବିଆଇ ଶାଖାର ତାଙ୍କର ଏକ ଆକାଉଣ୍ଟ ରହିଛି। ସେଥିରେ ପ୍ରତି ମାସରେ ୪ହଜାର ୫୦ଟଙ୍କା ପେନ୍‌ସନ ଆସିଥାଏ। ଦୁଇଦିନ ତଳେ ସୁରେନ୍ଦ୍ର ପେନ୍‌ସନ ଟଙ୍କା ଉଠାଇବାକୁ ଭୁବନେଶ୍ୱରର ଏକ ଏଟିଏମ୍‌କୁ ଯାଇଥିଲେ। ତେବେ ୨ଟି ଫେଜରେ ତାଙ୍କ ଆକାଉଣ୍ଟରୁ ୮ହଜାର କଟିଯାଇଥିବା ମିନି ଷ୍ଟେଟ୍‌ମେଣ୍ଟରୁ ଜାଣିବାବାକୁ ପାଇଲେ। ଏହାପରେ ଯାଞ୍ଚ କରିବାରୁ ୨୦୧୮ ଡିସେମ୍ବରରୁ ତାଙ୍କ ଆକାଉଣ୍ଟକୁ ଆସୁଥିବା ପେନ୍‌ଶନ୍‌ ଟଙ୍କାରୁ ୫୦ ହଜାର ଟଙ୍କା ପେଟିଏମ୍‌ ଓ ଗୁଗଲପେ’ ମାଧ୍ୟମରେ ଲୁଟ୍‌ ହୋଇଥିବା ଜଣାପଡିଥିଲା।

Share