ଅନୁପସ୍ଥିତ ଥିଲେ ୬ ଶିକ୍ଷକ: ସ୍କୁଲରେ ପହଞ୍ଚି ତଦନ୍ତ କଲେ ବିଇଓ

ଦାରିଙ୍ଗବାଡ଼ି,୬।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ପଞ୍ଚାୟତ ଗୁମିକିଆର ଅଲିମାହା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସୋମବାର ୬ଜଣ ଶିକ୍ଷକ ଅନୁପସ୍ଥିତି ରହିଥିଲେ। ଏପରିକି ଉପସ୍ଥିତ ଥିବା ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ପାଇଁ ମଧ୍ୟାନ୍ନ ଭୋଜନ ରୋଷେଇରେ ସ୍ବତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଥିବା ସମ୍ପର୍କିତ ଏକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ଖବର ପ୍ରକାଶିତ ହେବା ପରେ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। ଦାରିଙ୍ଗବାଡ଼ି ବିଇଓ ହାଡ଼ିବନ୍ଧୁ ବେହେରା ମଙ୍ଗଳବାର ବିଦ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଏପରିକି ମଙ୍ଗଳବାର ମଧ୍ୟ ଏକାଧିକ ଶିକ୍ଷକ ସ୍କୁଲରେ ନ ଥିବା ସେ ଜାଣିବାକୁ ପାଇଥିଲେ। ଫଳରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ବାଧା ଉପୁଜୁଥିବା ସେ ଦେଖିବାକୁ ପାଇଥିଲେ। ଏପରିକି ବିଇଓ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ସମେତ ସହକାରୀ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ସହ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ। ଏପରିକି ବିଦ୍ୟାଳୟ ପରିଚାଳନା କମିଟି କର୍ମକର୍ତ୍ତାଙ୍କୁ ଭେଟି ଘଟଣା ସମ୍ପର୍କରେ ବୁଝିଥିଲେ।

ବିଦ୍ୟାଳୟରେ ନିୟୋଜିତ ଥିବା କିଛି ଶିକ୍ଷକ ନିୟମିତ ବିଦ୍ୟାଳୟ ଆସୁ ନ ଥିବା ସେ ଜାଣିବାକୁ ପାଇଛନ୍ତି। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଓ ବେହେରା ପ୍ରକାଶ କରିଛନ୍ତି।

Share