ଆମେରିକାରେ ପୁଣି ଫୁଟିଲା ଗୁଳି, ଏଥର ୬ ବର୍ଷର ଶିଶୁଙ୍କ ଗୁଳିର ଶିକାର ହେଲେ ଶିକ୍ଷୟିତ୍ରୀ

ଭର୍ଜିନିଆ,୭ ।୧: ଆମେରିକାରେ ଥମୁ ନାହିଁ ଗୁଳିକାଣ୍ଡ ମାମଲା । ଶୁକ୍ରବାର ଆମେରିକାର ଭର୍ଜିନିଆରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟର ଛାତ୍ରଙ୍କ ବନ୍ଧୁକରୁ ଗୁଳିଫୁଟି ଜଣେ ଶିକ୍ଷୟିତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ତୁରନ୍ତ ଶିକ୍ଷୟିତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ କିନ୍ତୁ ଘଟଣା ସମ୍ପର୍କରେ ବିଶେଷ ସୂଚନା ଦେଇନାହିଁ । ହେଲେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଘଟଣା ଭର୍ଜିନିଆର ନ୍ୟୁପୋର୍ଟ-ନ୍ୟୁଜ ସହରର ଏଲିମେଣ୍ଟାରୀ ସ୍କୁଲରେ ହୋଇଛି । ଏହି ଘଟଣାରେ କେହି ଛାତ୍ର ଆହତ ହୋଇ ନାହାନ୍ତି ।
ଭର୍ଜିନିଆର ମେୟର ଫିଲିପ ଜୋନ୍ସ ମିଡିଆକୁ କହିଛନ୍ତି, ଏହି ମାମଲାରେ ପୋଲିସ ଜଣେ ଛାତ୍ରଙ୍କୁ ଅଟକ ରଖିଛି । ହେଲେ ଛାତ୍ର ଜଣଙ୍କ ବୟସ ସମ୍ପର୍କରେ ପୋଲିସ ଅଧିକାରୀ କିଛି କହି ନାହାନ୍ତି । ହେଲେ ମିଡିଆ ରିପୋର୍ଟ ଅନୁଯାୟୀ, ଉକ୍ତ ଛାତ୍ରଙ୍କ ବୟସ ୬ ବର୍ଷ ବୋଲି କୁହାଯାଉଛି ।

Share