ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ ଦିଆଯାଇଥିଲା। କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର କିଶୋରନଗର ବ୍ଲକ ଜାମ୍ବୁନାଳିଠାରୁ ଭାଙ୍ଗମୁଣ୍ଡା ପର୍ଯ୍ୟନ୍ତ ଏପରି ଉଚ୍ଛେଦର ୬ ବର୍ଷ ବିତି ଯାଇଥିଲେ ମଧ୍ୟ ଉକ୍ତ କାର୍ଯ୍ୟାଳୟ ଓ ମିଶ୍ରାମାଗର ଆଦି ନୂଆ କରି ନିର୍ମାଣ କରାଯାଉନାହିଁ। ଫଳରେ ବଇଣ୍ଡା ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି।
୫୫ ନମ୍ବର ଜାତୀୟ ରାଜପଥ ୪ ଲେନ ରାସ୍ତା ନିର୍ମାଣ ପାଇଁ ବଇଣ୍ଡାଠାରେ ୨୦୧୮ ମେ ୧୭ ତାରିଖରୁ ଉଚ୍ଛେଦ ଆରମ୍ଭ ହୋଇଥିଲା। ସମସ୍ତ କ୍ଷତିପୂରଣ ପୈଠ କରାଯାଇ ନ ଥିବା ବେଳେ ତରବରିଆ ଭାବେ ପ୍ରଶାସନ ଉଚ୍ଛେଦ ଆରମ୍ଭ କରିଥିଲା। ଅଞ୍ଚଳବାସୀ ବିରୋଧ କରିଥିଲେ ମଧ୍ୟ ରାଜନେତାଙ୍କ ଚାପରେ ପ୍ରଶାସନ ପୋଲିସ ସହ ୧୪୪ ଧାରା ଜାରି କରି ଉଚ୍ଛେଦ ଆରମ୍ଭ କରିଥିଲା। ବଇଣ୍ଡାରେ ଥିବା ପଶୁଡାକ୍ତର ଖାନା, ପୂର୍ତ୍ତ ବିଭାଗ ବଙ୍ଗଳା, କିଶୋରଗଞ୍ଜ ପ୍ରାଥମିକ ବିଦ୍ୟାଳୟ, ନୁନୁକାପଶି ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର, ବଇଣ୍ଡା ଫାଣ୍ଡି, ବଇଣ୍ଡା ଛକରେ ଥିବା ଯାତ୍ରୀ ବିଶ୍ରାମାଗାର, ବଇଣ୍ଡା କଲେଜରେ ଥିବା ବିଶ୍ରାମାଗାର, ଲୁହାମୁଣ୍ଡାଠାରେ ଥିବା ବିଶ୍ରାମାଗାର, ଡେବେରାପାଲି ଗ୍ରାମରେ ଥିବା ଯାତ୍ରୀ ବିଶ୍ରାମାଗାର , ହଣ୍ଡପା ଯାତ୍ରୀ ବିଶ୍ରାମାଗାର, ବଇସିଣା ଗ୍ରାମ ଯାତ୍ରୀ ବିଶ୍ରାମାଗାର, ପାଗବନ୍ଧା ପ୍ରାଥମିକ ବିଦ୍ୟାଳୟ ପାଚେରି, ନାକିଚି ଯାତ୍ରୀ ବିଶ୍ରାମାଗାର ସମେତ ଅନେକ ଯାତ୍ରୀ ବିଶ୍ରାମାଗାର ଭାଙ୍ଗି ଦିଆଯାଇଛି। ଉଚ୍ଛେଦକୁ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ନିର୍ମାଣରେ ବିଳମ୍ବ ହେଉଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ଜନସାଧାରଣ ବହୁ ହଇରାଣ ହେଉଛନ୍ତି। କିଛି କାର୍ଯ୍ୟାଳୟ ଭଡା ଘରେ ଚାଲିଥିବାବେଳେ କିଛି କାର୍ଯ୍ୟାଳୟ ଅନ୍ୟ କାର୍ଯ୍ୟାଳୟରେ ମର୍ଜ କରି କାର୍ଯ୍ୟାଳୟ ଖୋଲୁଥିବା ଜଣାପଡିଛି। ବିଶେଷକରି ବଇଣ୍ଡା ଠାରେ ପଶୁ ଡାକ୍ତରଖାନା ନିର୍ମାଣ ହେଉ ନ ଥିବା ଯୋଗୁ ୪ଟି ପଞ୍ଚାୟତର ଲୋକେ ନିଜ ନିଜ ଗୃହପାଳିତ ପଶୁର ଚିକିତ୍ସା ପାଇଁ ୭ କି.ମି. ହଣ୍ଡପା ପଶୁ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ସେହିପରି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପାଇଁ ୨ କୋଟି ଟଙ୍କା ମଞ୍ଜୁର ହେବା ସହ ଜମି ଚିହ୍ନଟ ହୋଇଥିଲେ ମଧ୍ୟ ନିର୍ମାଣରେ ବିଳମ୍ବ ହେଉଛି। ଫଳରେ ବଇଣ୍ଡା ବଙ୍ଗଳା ଉପରେ ନିର୍ଭର କରୁଥିବା ଭିଆପି, ରାଜନେତାମାନେ ହଇରାଣ ହେଉଥିବା ସହ ୧୭ କିମି ଦୂରରେ ଥିବା ନାକିଚି ବଙ୍ଗଳା ଉପରେ ନିର୍ଭର କରୁଛନ୍ତି, ଯାହାକି ବଇଣ୍ଡାର ବିକାଶରେ ବାଧକ ସୃଷ୍ଟି ହେଉଛି। ଫାଣ୍ଡିର ନୂଆ ଗୃହ ନିର୍ମାଣ ପାଇଁ ଫାଣ୍ଡି ପଛରେ ଥିବା ଜମ ଚିହ୍ନଟ ନିମନ୍ତେ ଗ୍ରାମବାସୀ ଆଠମଲ୍ଲିକ ବିଧାୟକଙ୍କୁ ୧୫ ଜାନୁଆରୀ ୨୦୨୧ରେ ଲିଖିତ ଭାବେ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଅନେକ ବିଶ୍ରାମାଗାର ସହ ନୂତନ ବିଦ୍ୟାଳୟ ଗୃହ ନିର୍ମାଣ ଦାୟିତ୍ୱ ଠିକାସଂସ୍ଥା ନେଇଛି। ହେଲେ ବଇଣ୍ଡାଠାରେ ଥିବା କିଶୋରଗଞ୍ଜର ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ଅତି ନିମ୍ନମାନର କରାଯାଉଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯାତ୍ରୀ ବିଶ୍ରାମଗାରଗୁଡିକ ଠିକାସଂସ୍ଥା ପକ୍ଷରୁ ଲୁହା ପାଇପ୍‌ ମାଧ୍ୟମରେ ନିର୍ମାଣ କରିଥିଲେ ମଧ୍ୟ ଆଜବେଷ୍ଟସ ପକାଇ ନ ଥିବା ଯୋଗୁ ଯାତ୍ରୀମାନେ ଖରାରେ ବସ୍‌କୁ ଅପେକ୍ଷା କରି ରହୁଛନ୍ତି। ତୁରନ୍ତ ଏଥି ପ୍ରତି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ କିଶୋରନଗର ବିଡିଓ ସୌଭାଗ୍ୟ ବେହେରା କୁହନ୍ତି, ଯାତ୍ରୀ ବିଶ୍ରାମଗାର ଭଙ୍ଗାଯିବା ଅର୍ଥ ବ୍ଲକ କାର୍ଯ୍ୟାଳୟ ଠାରେ ନାହିଁ। ଏ ସବୁ ପଇସା ଅନୁଗୋଳ ଟ୍ରେଜେରିରେ ଡିପୋଜିଟ ହୋଇଛି। କ’ଣ ପାଇଁ ନୂତନ ବିଶ୍ରାମାଗାର ନିର୍ମାଣ କରାଯାଉନାହିଁ ସେ ନେଇ ଦୃଷ୍ଟି ଦିଆଯିବ।

Share